ଜାତିସଂଘରେ ପାକିସ୍ତାନକୁ ଭାରତର କଡା ଜବାବ

ଓ୍ବାଶିଂଟନ: ମିଳିତ ଜାତିସଂଘର ସାଧାରଣ ସଭାର ୭୭ତମ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫଙ୍କ ଶାନ୍ତି ମନ୍ତବ୍ୟର ଜବାବ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସିରଫ କାଶ୍ମୀର ପ୍ରସଙ୍ଗ ଓ ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ପ୍ରସଙ୍ଗ ଉଠାଇ ଭାରତକୁ ସମାଲୋଚନା କରିଥିଲେ । ଭାରତ ମଧ୍ୟ ପାଲଟା ଜବାବରେ ଆତଙ୍କବାଦକୁ ପାକିସ୍ତାନର ପ୍ରଚ୍ଛନ୍ନ ସହଯୋଗ ପ୍ରସଙ୍ଗ ଉଠାଇ ଆଲୋଚନା କରିଛି। ମିଳିତ ଜାତିସଂଘରେ ଭାରତୀୟ ମିଶନର ପ୍ରଥମ ସଚିବ ମିଜିଟୋ ବିନିଟୋ ଭାରତର ପକ୍ଷ ରଖିଥିଲେ। ବିନିଟୋ ପାକିସ୍ତାନକୁ ଆତଙ୍କୀ କାର୍ଯ୍ୟକଳାକୁ ପ୍ରତ୍ୟେକ୍ଷ ପ୍ରୋତ୍ସାହନ ଦେଉଥିବା କହି ସମାଲୋଚନା କରିବା ସହ ଇସଲାମାବାଦ ଉପରେ ସୀମାପାର ଆତଙ୍କବାଦର ଆରୋପ ଲଗାଇଥିଲେ।

ବିନିଟୋ କହିଥିଲେ, ଏହା ଅତ୍ୟନ୍ତ ଦୁଖଃଦ ଯେ ଭାରତ ଉପରେ ମିଥ୍ୟା ଅଭିଯୋଗ ଲଗାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜାତିସଂଘ ପରି ଏକ ସର୍ବୋଚ୍ଚ ଅନ୍ତର୍ଜାତୀୟ ମଞ୍ଚକୁ ବାଛିଲେ। ସେ ତାଙ୍କ ନିଜ ଦେଶ ଦ୍ବାରା ଜାରି ରହିଥିବା ବିଭିନ୍ନ ଅସ୍ଥିରତା ସୃଷ୍ଟିକାରୀ କାର୍ଯ୍ୟକୁ ଲୁଚାଇବା ପାଇଁ ଭାରତ ଉପରେ ପାଲଟା ଅଭିଯୋଗ କରିବାକୁ ପଛାଇଲେ ନାହିଁ । ଭାରତ ବିରୋଧରେ ସେ ଯେଉଁ ଅଭିଯୋଗମାନ କରିଛନ୍ତି ତାହା ବିଶ୍ବବାସୀ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ।

ପାକିସ୍ତାନ ଉପରେ ସିଧା ଟାର୍ଗେଟ କରି ଭାରତୀୟ ମିଶନ ସଚିବ ମିଜିଟୋ ବିନିଟୋ ଡନ ତଥା ପଳାତକ ଆତଙ୍କବାଦୀ ଦାଉଦ ଇବ୍ରାହିମ କଥା ଉଠାଇଥିଲେ । ମୁମ୍ବାଇରେ ୧୯୯୩ରେ ହୋଇଥିବା ସିରିଜ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦକୁ ପାକିସ୍ତାନ ଆତ୍ମଗୋପନ କରିବା ପାଇଁ ଶରଣ ଦେଇଛି । ଯେଉଁ ଦେଶ ଶାନ୍ତି ଚାହେଁ ସେ ଏକ ଆତଙ୍କବାଦୀକୁ କିପରି ଶରଣ ଦେଲା ବୋଲି ସେ ପ୍ରଶ୍ନ କରିଥିଲେ। ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହିତ କରିବାରେ ଲାଗିଛି। ଯେଉଁ ଦେଶ ପଡୋଶୀଙ୍କ ସହ ଶାନ୍ତି ଓ ସୁସମ୍ପର୍କ ଆଶା କରେ ସେ କଣ ଏପରି କାର୍ଯ୍ୟକଳାପରେ ସାମିଲ ହେବ କି ବୋଲି ପ୍ରଶ୍ନ କରିଥିଲେ ଭାରତୀୟ ମିଶନ ସଚିବ।

ଗତକାଲି ଅଧିବେଶନରେ ଅଂଶଗ୍ରହଣ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେବେଓ୍ବାଜ ସରିଫ ଭାରତ ସମେତ ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା ତଥା ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା କଥା ଉଠାଇଥିଲେ । ସେହିପରି ଭାରତ ସରକାର କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଶାନ୍ତି ପରିବର୍ତ୍ତେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏକପାଖିଆ ନିଷ୍ପତ୍ତି ନେଉଥବା କଥା ମଧ୍ୟ କହିିଥିଲେ । କାଶ୍ମୀର ସମସ୍ୟାର ସମାଧାନ ନହେଲେ ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ ବୋଲି କହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାରତ ମଧ୍ୟ ତାର କଡା ଜବାଜ ରଖିଛି ।

Related Articles

Back to top button