ଆଜିଠୁ ଆରମ୍ଭ ମା’ ଦୁର୍ଗାଙ୍କର ନବଦିନାତ୍ମକ ପୂଜା
ଧରାପୃଷ୍ଠରେ ବିରାଜିବେ ମା ଜଗତ ଜନନୀ ଦୁର୍ଗା । ମାଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇପଡିଛି ଗାଁଠୁ ସହର । ତେବେ ଆଜିଠୁ ଆରମ୍ଭ ହୋଇଛି ଆଦିଶକ୍ତି ମା’ ଦୁର୍ଗାଙ୍କର ଶାରଦୀୟ ନବଦିନାତ୍ମକ ପୂଜା । ଏହି ଅବସରରେ ଆଜି ଶ୍ରଦ୍ଧାଳୁମାନେ ଦେବୀଙ୍କୁ ବିଭିନ୍ନ ଶକ୍ତି ପୀଠରେ ପୂଜାର୍ଚ୍ଚନା କରିଛନ୍ତି । ନବରାତ୍ରି ହେଉଛି ମାଆଙ୍କ ଉପାସନାର ପର୍ବ ।
ଆଜିଠୁ ୯ ଦିନ ଯାଏଁ ମାଆ ଭକ୍ତଙ୍କୁ ୯ଟି ରୂପରେ ଦର୍ଶନ ଦେବେ ମା । ୯ ଦିନ ଧରି ମାଆ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ଶକ୍ତିପୀଠ ମାନଙ୍କରେ ଲାଗିଛି ଗହଳି । ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମାଆ ଜଗଦଜନନୀଙ୍କ ନବମୀ ପୂଜା ଅନୁଷ୍ଠିତ ହେବ । ଏହି ନଅ ଦିନ ମା’ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ତଥା ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେବେ । ଭିନ୍ନ ଭିନ୍ନ ବେଶରେ ଭିନ୍ନ ଭିନ୍ନ ପ୍ରକାରର ଭୋଗ ଲାଗିହେବାର ପରମ୍ପରା ରହିଛି । ପୂଜାବେଦୀରେ ଘଟ ସ୍ଥାପନ କରି ଦେବୀଙ୍କ ଆବାହନ କରାଯିବ । ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ ରହିଛି । ତେବେ ମୌସୁମୀ ପରବର୍ତ୍ତୀ ଶାରଦୀୟ ନବରାତ୍ରୀକୁ ପ୍ରାଧାନ୍ୟ ଦିଆଯାଏ ।
ମା’ ଦୁର୍ଗା ନବରାତ୍ରିରେ ଭକ୍ତଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେବେ । ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରୀର ଏକ ବିଶେଷ ମହତ୍ତ୍ୱ ରହିଛି ତେଣୁ ନବରାତ୍ରୀ ଅବସରରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଏ। ନବରାତ୍ରୀର ନଅ ଦିନ ପାଇଁ ଦେବୀ ଦୁର୍ଗାଙ୍କର ନଅ ପ୍ରକାର ପୂଜା ହୋଇଥାଏ। ମାତା ଦେବୀଙ୍କୁ ଖୁସି କରିବା ପାଇଁ ଅନେକ ଲୋକ ମଧ୍ୟ ନବରାତ୍ରୀ ସମୟରେ ଉପବାସ ପାଳନ କରନ୍ତି। ତେବେ ଶାରଦୀୟ ନବରାତ୍ରୀ ପିତୃ ପକ୍ଷର ଶେଷ ଦିନ ଅର୍ଥାତ୍ ସର୍ବ ପିତୃ ଅମାବାସ୍ୟାର ପରଦିନରୁ ଆରମ୍ଭ ହୁଏ। ହିନ୍ଦୁ ଧର୍ମରେ ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ।
ବସନ୍ତ ଓ ଶରତ ଋତୁରେ ଦେବୀଙ୍କୁ ଆରାଧନା କରାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା କରାଯାଏ। ନବଦିନାତ୍ମକ ଏହି ପର୍ବର ପ୍ରଥମ ଦିନ ମାତା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ପର୍ବତରାଜ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଆବିର୍ଭାବ ହୋଇଥିବାରୁ ସେ ଶୈଳପୁତ୍ରୀ ନାମରେ ପୂଜିତା । ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା ଦ୍ବାରା ସୁଖ-ସମୃଦ୍ଧି ପ୍ରାପ୍ତି ହୁଏ । ମା’ଙ୍କ ପୂଜା ଦ୍ବାରା ବ୍ୟକ୍ତି ଜୀବନରେ ସ୍ଥିରତା ବଜାୟ ରହେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମା’ ଶୈଳପୁତ୍ରୀ ଚନ୍ଦ୍ରମାକୁ ଦର୍ଶାନ୍ତି । ତାଙ୍କ ଉପାସନା ଦ୍ବାରା ଚନ୍ଦ୍ରର କୁପ୍ରଭାବ ନିଷ୍କ୍ରିୟ ହୋଇଯାଏ । ଶୈଳପୁତ୍ରୀଙ୍କ ମନ୍ତ୍ର ଜପ ଦ୍ବାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳେ ବୋଲି ମାନ୍ୟତା ରହିଛି। ଆଧ୍ୟାତ୍ମିକ ବିଶ୍ୱାସ ରହିଛି ଯେ, ନବରାତ୍ରିର ପ୍ରଥମ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଏହି କ୍ରମରେ ଆଜି ସାରା ଭାରତ ବର୍ଷରେ ଥିବା ପ୍ରସିଦ୍ଧ ଦେବୀ ପୀଠରେ ନବରାତ୍ରି ଆରମ୍ଭ ହୋଇଛି ।