ଶୀତଳ ଷଷ୍ଠୀ : କନ୍ୟା ଖୋଜା ପର୍ବ ସମାପନ

ଶୀତଳ ଷଷ୍ଠୀ ପାଇଁ ଉତ୍ସବମୁଖର ସୁବର୍ଣ୍ଣପୁର । ଚାରି ଦିନ ଧରି ପାଳିତ ହେଉଥିବା ଏହି ଯାତ୍ରାରେ କନ୍ୟା ଖୋଜା ପର୍ବ ସମାପନ ହୋଇଯାଇଥିବା ବେଳେ ଦେବ ନିମନ୍ତ୍ରଣ, ଅଳଙ୍କାର ଧାରଣ ଓ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ।

ସୂଚନାଯୋଗ୍ୟ, ଐତିହ୍ୟର ଏହି ସହରରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି ଶିବ-ପାର୍ବତୀଙ୍କ ବିବାହ ଉତ୍ସବ । ପ୍ରତିବର୍ଷ ସହରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖରଙ୍କ ବିବାହ ବେଶ ଧୂମଧାମରେ ପାଳିତ ହୋଇଆସୁଛି । ଏଥର ମଧ୍ଯ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୨ ତାରିଖ ରାତିରେ ବାବା ଚନ୍ଦ୍ରଶେଖର, ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କ ସହିତ ଆଡମ୍ବର ପୂର୍ଣ୍ଣ ବରଯାତ୍ରୀ ନେଇ ବିବାହ ପାଇଁ ବାହାରିବେ ।

ରାଜାରାଜୁଡା ଅମଳରୁ ପାଳିତ ହୋଇ ଆସୁଥିବା ଏହି ଯାତ୍ରାର କେନ୍ଦ୍ରବିନ୍ଦୁ ୧୦୮ ଭରି ସୁନା ତିଆରି ନାଗ ପ୍ରତିମା । ଐତିହାସିକ ଦେବ ଦମ୍ପତିଙ୍କ ବିବାହ ପାଇଁ ସୋନପୁରର ଗ୍ରୀଡକୋ କଲୋନୀ ହିମାଦ୍ରୀ ନଗରର ଅନିମା ଭୁତ ଓ ଗୋପାଲ ଭୁତ କନ୍ୟା ମାତାପିତା ହେବାର ସ୍ୱୌଭାଗ୍ୟ ଅର୍ଜନ କରିଛନ୍ତି । ସେହିପରି ବାବା ଚନ୍ଦ୍ରଶେଖରଙ୍କ ବିବାହ ସମ୍ପନ୍ନ କରିବେ ଘୋଡାଘାଟ ପଡାର ଶିବାନୀ ବକ୍ସି ଓ ବାବୁଲି ବକ୍ସି ।

Related Articles

Back to top button