ୟୁଟ୍ୟୁବ ଚେନାଲରେ ସରିସୃପଙ୍କୁ ଧରି ଭିଡିଓ ପୋଷ୍ଟ ଥିଲେ, ବନ ବିଭାଗ ରେଡ କରି ଧରିଲା

ରେଢ଼ାଖୋଲ: ସରିସୃପଙ୍କୁ ଧରି ନିଜର ୟୁଟ୍ୟୁବ ଚେନାଲରେ ସେମାନଙ୍କ ଭିଡିଓ ପୋଷ୍ଟ କରି ଭିୟୋର୍ସ ବଢ଼ାଉଥିଲେ। ନିଜେ ମଜା ନେବା ସହ ଭିୟୋର୍ସଙ୍କୁ ଖୁସି ପ୍ରଦାନ କରୁଥିଲେ। ଏପରି କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ବନ ବିଭାଗ। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ରେଞ୍ଜର କରନଝୁଲା ଗାଁରେ। ଯୁବକ ଜଣଙ୍କ ହେଲେ ରାମଚନ୍ଦ୍ର ରଣା।

ରାମଚନ୍ଦ୍ର ନିଜ ନାଁରେ ୟୁଟ୍ୟୁବ ଚେନାଲ ଖୋଲିଥିଲେ। ସେଥିରେ ନିଜେ ଧରୁଥିବା ବିଭିନ୍ନ ପ୍ରଜାତିର ସରିସୃପକୁ  ଚେନାଲରେ ପ୍ରସାରଣ କରୁଥିଲେ। ସୂଚନା ପାଇ ସମ୍ବଲପୁର ଏସିଏଫଙ୍କ ନେତୃତ୍ୱରେ ଏକ ଟିମ୍ କରନଝୁଲି ଗାଁକୁ ଯାଇ ରାମଚନ୍ଦ୍ରଙ୍କୁ  ଗିରଫ କରିଥିଲେ।  ତାଙ୍କ ଘରୁ ଏକ ଚିତି ସାପ,୨ ଟି ନାଗ ସାପ, ୪ଟି ତେନ୍ତିଳିଆ ନାଗ ସାପ ଓ ୪ ଟି ବହୁରୂପୀ ଏଣ୍ଡୁଅ ଜବତ  କରିଥିଲେ।

ରାମଚନ୍ଦ୍ର ଏମାନଙ୍କୁ ଧରି ପ୍ଲାଷ୍ଟିକ ଡବାରେ ରଖୁଥିଲେ। ନିଜର ୟୁଟ୍ୟୁବ ଚେନାଲରେ ଏମାନଙ୍କୁ ଦେଖାଇବା ପରେ ପୁଣି ଜଙ୍ଗଲରେ ଛାଡ଼ି ଦେଉଥିଲେ। ରାମଚନ୍ଦ୍ର ଏହି କଥା ବନ ବିଭାଗ ନିକଟରେ ସ୍ୱୀକାର କରିଛନ୍ତି। ରାମଚନ୍ଦ୍ର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି।

ଯୁଯୁମୁରା ସଦର ରେଞ୍ଜର ଏସିଏଫ ମନୁ ଅଶୋକ ଭଟ କହିଛନ୍ତି,  ରାମଚନ୍ଦ୍ର ସରିସୃପଙ୍କୁ ଧରି ନିଜର ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରୁଥିଲେ।  ଆମେ ଖବର ପାଇଁ ତାଙ୍କ ଘରେ ଚଢ଼ାଉ କରିଥିଲୁ। ସରିସୃପଙ୍କୁ ଘରେ ରଖିବା ଆଇନ ଅନୁସାରେ ଅପରାଧ ଅଟେ। ଏହା ପଛରେ ଆଉ କାହାର ହାତ ଅଛି କି  ତାହାର ତଦନ୍ତ କରଯାଉଛି।

Related Articles

Back to top button