ଆସନ୍ତା ଶନିବାର ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ, ଆରମ୍ଭ ହେବ ମା’ ବିମଳାଙ୍କ ଷୋଡ଼ଶ ଦିନାତ୍ମକ ପୂଜା

ପୁରୀ: ଆସନ୍ତା ୧୭ ତାରିଖ ଶନିବାର ମୂଳାଷ୍ଟମୀ। ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ। ଶୁଭାରମ୍ଭ ହେବ ଶାରଦୀୟ ପୂଜାର୍ଚ୍ଚନା । ଉକ୍ତ ଦିବସରୁ ମା’ ବିମଳାଙ୍କ ଷୋଡ଼ଶ ଦିନାତ୍ମକ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ଅକ୍ଟୋବର ୧ ତାରିଖ ଶନିବାର ମହାସପ୍ତମୀ, ରବିବାର ମହାଷ୍ଟମୀ ଓ ସୋମବାର ମହାନବମୀର ସ୍ୱତନ୍ତ୍ର ପୂଜା ହେବ । ୫ ତାରିଖ ବୁଧବାର ଦଶହରା ଓ ଆୟୁଧ ପୂଜା ଅନୁଷ୍ଠିତ ହେବ।

ଏହି ଅବସରରେ ବଡ଼ଦେଉଳରେ ଦୁର୍ଗାମାଧବ ଉପାସନା କରାଯିବ। ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ । ସର୍ବତ୍ର ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ଥିଲା ବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଉପାସନାର ବିଧି ପ୍ରଚଳନ ରହିଛି। ଆଶ୍ୱିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ଶୁକ୍ଲପକ୍ଷ ନବମୀ ପର୍ଯ୍ୟନ୍ତ ୧୬ ଦିନ ଠାକୁରାଣୀଙ୍କ ଷୋଳପୂଜା କରାଯାଏ।

ଶାରଦୀୟ ପୂଜା ଅବସରରେ ବଡ଼ଦେଉଳରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ରତ୍ନଭଣ୍ଡାରରୁ ମା’ ଦୁର୍ଗାଙ୍କର ସ୍ୱର୍ଣ୍ଣ ପ୍ରତିମା ଆସି ସିଂହାସନରେ ବିଜେ ହେବେ। ମା’ସୁଭଦ୍ରାଙ୍କ ଆଜ୍ଞାମାଳ ମା’ ଦୁର୍ଗାଙ୍କୁ ଲାଗି କରାଯିବ। ମା’ ଦୁର୍ଗା ମାଜଣା ମଣ୍ଡପକୁ ବିଜେ ହୋଇ ଠାକୁରାଣୀଙ୍କ କୁମ୍ଭାଭିଷେକ ହେବ। ପଞ୍ଚୋପଚାରରେ ପୂଜା ସରିବ। ମାଧବଙ୍କ ପ୍ରତିମୂର୍ତ୍ତିଙ୍କୁ ବିଜେ କରାଯାଇ ଦୁର୍ଗାଙ୍କ ସହିତ ରୁନ୍ଧା ହୋଇ ଏକତ୍ର ଇନ୍ଦ୍ର ଆସନରେ ବିଜେ ହେବେ।

Related Articles

Back to top button