ଖୁବଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ସରୋଗାସି ବ୍ୟବସ୍ଥା, ଆଇଭିଏଫ ପାଇଁ ୧୨ଟି ସଂସ୍ଥାକୁ ମଞ୍ଜୁରୀ

ଭୁବନେଶ୍ୱର: ଏଣିକି ରାଜ୍ୟର ନିଃସନ୍ତାନ ଦମ୍ପତିମାନେ ଆଉ ସରୋଗାସି ବା ଭଡ଼ାରେ ଗର୍ଭଧାରଣ କରିବା ପାଇଁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ କି ଛତିଶଗଡ଼କୁ ଯିବାକୁ ପଡ଼ିବ ନାହିଁ । ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସରୋଗାସି ବ୍ୟବସ୍ଥା । ତେବେ ଏଥିପାଇଁ ୩ଟି ସଂସ୍ଥା ଆବେଦନ କରିଥିବା ବେଳେ ଇନ୍ ଭିଟ୍ରୋ ଫର୍ଟିଟାଇଜେସନ (ଆଇଭିଏଫ) ପାଇଁ ୧୨ଟି ସଂସ୍ଥାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମୁତାବକ, ସରୋଗାସି ଓ ଆଇଭିଏଫ କେନ୍ଦ୍ର ଖୋଲିବା ପାଇଁ ସଂସ୍ଥାମାନଙ୍କୁ କେନ୍ଦ୍ର ସରକାରଙ୍କ ଆର୍ଟିଫିସିଆଲ ଇନସେମିନେସନ (ଏଆରଟି) ରେଜିଷ୍ଟ୍ରିରେ ଆପ୍ଲାଏ କରିବାକୁ ପଡ଼ିଥାଏ । ପରେ କେନ୍ଦ୍ର ସରକାର ରାଜ୍ୟ ଅନୁଯାୟୀ ଆବେଦନ ପତ୍ର ପଠାଇଥାନ୍ତି । ତେବେ ଏହା ମଧ୍ୟରେ ରାଜ୍ୟରେ ଏଆରଟି ଓ ସରୋଗାସି କେନ୍ଦ୍ର ଖୋଲିବା ପାଇଁ ୪୭ଟି ଆବେଦନ ପତ୍ର ଆସିଛି । ଏଆରଟି କେନ୍ଦ୍ର ପାଇଁ ୩୫ଟି, ଏଆରଟି ବ୍ୟାଙ୍କ ପାଇଁ ୫ଟି, ସରୋଗାସି ପାଇଁ ୭ଟି ଆବେଦନ କରାଯାଇଥିବା ଜଣାପଡ଼ିଛି । ତେବେ ୩୫ଟିରୁ ୧୨ଟି ସଂସ୍ଥାକୁ ଏଆରଟି ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି ।

ସରୋଗାସି ବ୍ୟବସ୍ଥା ଆରମ୍ଭ ପାଇଁ ଗତବର୍ଷ ଜୁନରେ ରାଜ୍ୟ ସରକାର ‘ଷ୍ଟେଟ ଆସିଷ୍ଟେଡ୍ ରିପ୍ରଡକ୍ଟିଭ ଟେକ୍ନୋଲୋଜି ଆଣ୍ଡ ସରୋଗାସି’ ନାମରେ ଏକ ବୋର୍ଡ ଗଠନ କରିଥିଲେ । ତା’ପରେ ସରୋଗାସି ଓ ଆଇଭିଏଫ ସେଣ୍ଟର ଖୋଲିବା ପାଇଁ ଆବେଦନକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ ହେବ ସେନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଦର ଧାର୍ଯ୍ୟ ହୋଇନାହିଁ । ତେବେ ସରୋଗାସି ପାଇଁ ୧୦-୧୨ ଲକ୍ଷ ଓ ଆଇଭିଏଫ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି । କେନ୍ଦ୍ର ସରକାର ଏଥିପାଇଁ ଆଇନ ପ୍ରଣୟନ କରିବା ପରେ ରାଜ୍ୟ ସରକାର ଏହାକୁ ଲାଗୁ କରିଥିବା ଜଣାପଡ଼ିଛି ।

Related Articles

Back to top button