‘ପରିକ୍ରମା’ ଆନୁକୂଲ୍ଯରେ ରାଇରଙ୍ଗପୁରରେ ମେଧା ସମ୍ବର୍ଦ୍ଧନା ସମାରୋହ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ଆନୁକୁଲ୍ୟରେ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପଠାରେ ‘ମେଧା ସମ୍ବର୍ଦ୍ଧନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିକ୍ରମାର ଅଧ୍ୟକ୍ଷ ମନୋଜ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉଦ୍ୟୋଗପତି ଜଗଦିଶ ମିଶ୍ରା, ସମ୍ମାନିତ ଅତିଥି ବରିଷ୍ଠ ନାଗରିକ ସଂଘ ସଭାପତି ରସାନନ୍ଦ ଲେଙ୍କା, ଶିକ୍ଷାବିତ୍ ଡଃ ହିମାଂଶୁ ଶେଖର ପଟ୍ଟନାୟକ, ରାଇରଙ୍ଗପୁର ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ, ବିଶିଷ୍ଟ ସମାଜସେବୀ ଈଶାନ ମିଶ୍ର, ସମାଜସେବୀ ସୁବାଷ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିବାବେଳେ ଶିକ୍ଷକ ରଂଜନ କୁମାର ନନ୍ଦ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚାସୀନ ଅତିଥିଗଣ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରଗତି ପାଇଁ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ସୁସ୍ଥ ଓ ସନ୍ତୁଳିତ ପରିବେଶ ପାଇଁ ଭଲ ମଣିଷଟିଏ ହେବାକୁ ଆହ୍ୱାନ ଦେଇଥିଲେ।  ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବାମନଘାଟୀ ଉପଖଣ୍ଡର ୭ଟି ବ୍ଲକର ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନ ତଥା ସିବିଏସଇ, ରାଜ୍ୟ ବୋର୍ଡ଼, ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ଘରୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଯେଉଁ ଛାତ୍ରଛାତ୍ରୀମାନେ  ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଥିଲେ ସେମାନଙ୍କୁ ଅତିଥିଗଣ ପ୍ରଶଂସା ପତ୍ର, ସ୍ମୃତି ଫଳକ, ଏବଂ ଚାରାଗଛ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଭିଭାବକ,ଅଭିଭାବିକା, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇଥିଲେ।କାର୍ଯ୍ଯକ୍ରମରେ ଶିକ୍ଷାବିତ ଦିଲ୍ଲିପ ମହାନ୍ତି, ତିମିର ରଂଜନ ପଣ୍ଡା, ଡଃ ଦିଗମ୍ବର ଗିରି, ଖୁଦିରାମ ମହାନ୍ତି, ବସନ୍ତ ଦାସ, ନାମକୁ ଦାସ, ବାବୁ ମହାନ୍ତି, ଦୁଷ୍ମନ୍ତ ଦାସ, ରବି ଦାସ, କଂଗ୍ରେସ ମହାନ୍ତ, ଖିତିଶ ମହାନ୍ତି, ଠେଙ୍ଗୁ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

– ଅକ୍ଷୟ ବିଶ୍ବାଳ

Related Articles

Back to top button