ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ସମ୍ୱୋଧନ

ମହିଳା ସଶକ୍ତିକରଣ ସହ ପ୍ରଗତି ଏବଂ ପରିବେଶ ସୁରକ୍ଷାକୁ ଗୁରୁତ୍ୱ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରକୁ ସମ୍ୱୋଧିତ କରିଛନ୍ତି । ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ସମ୍ୱୋଧନ ଥିଲା । ଏହି ଅବସରରେ ସେ କହିଛନ୍ତି, ‘୭୬ତମ ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ଦେଶ-ବିଦେଶରେ ଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଉଛି । ଅଗଷ୍ଟ ୧୪କୁ ବିଭାଜନ-ବିଭୀଷିକା ସ୍ମୃତି-ଦିବସ ରୂପେ ପାଳନ କରାଯାଇଥାଏ । ଏହି ସ୍ମୃତି ଦିବସକୁ ପାଳିବାର ଉଦ୍ଦେଶ୍ୟ ହେଉଛି ସାମାଜିକ ସଦଭାବ, ମାନବ ସଶକ୍ତିକରଣ ଏବଂ ଏକାକୁ ପ୍ରୋତ୍ସାହିତ କରିବା । ୨୦୪୭ ସୁଦ୍ଧା ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଆମ ସଂକଳ୍ପ ରହିଛି’।

ରାଷ୍ଟ୍ରପତି କହିଛନ୍ତି, ‘୧୯୪୭ ଅଗଷ୍ଟ ୧୫ରେ ଆମେ ଉପନିବେଶବାଦ ଶାସନର ଶିଙ୍କୁଳିକୁ କାଟିଥିଲୁ । ସେହି ଶୁଭ ଦିନର ବର୍ଷ ପୂର୍ତ୍ତିକୁ ପାଳନ କରି ଆମେ ସମସ୍ତେ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରମାଣ ଜଣାଉଛୁ । ଆମେ ସ୍ୱାଧୀନ ଭାରତରେ ଯେପରି ନିଶ୍ୱାସ ନେଇପାରିବୁ ସେଥିପାଇଁ ସେମାନେ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିଲେ । ଏହା ଉତ୍ସବର ସମୟ । ହର ଘର ତ୍ରିରଙ୍ଗା ଅଭିଯାନ ଚାଲିଛି । ଆଜି ଆମ ଦେଶରେ କୋଣ ଅନୁକୋଣରେ ତ୍ରିରଙ୍ଗା ଗର୍ବର ସହ ଉଡୁଛି । ଭାରତ ପ୍ରତିଦିନ ପ୍ରଗିତରେ ପଥରେ ଆଗକୁ ବଢୁଛି । ଦେଶରେ ସମସ୍ତଙ୍କ ପାଖରେ ସମାନ ଅଧିକାର ରହିଛି’।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ‘ଗତ ବର୍ଷରୁ ନଭେମ୍ୱର ୧୫ରୁ ଜନଜାତି ଗୌରବ ଦିବସ ପାଳନ କରିବା ନେଇ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଆମର ଜନଜାତି ମହାନାୟକ କେବଳ ସ୍ଥାନୀୟ କିମ୍ୱା ନିର୍ଦ୍ଦିଷ୍ଟ କ୍ଷେତ୍ରର ପ୍ରତୀକ ନୁହନ୍ତି ବରଂ ସାରା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ପ୍ରେରଣା ଉତ୍ସ’।

କରୋନା କଥା ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି, ‘ଆମେ ଦେଶରେ ନିର୍ମିତ ଭ୍ୟାକ୍ସିନ ସହ ମଣିଷ ଇତିହାସର ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ କରିଥିଲା । ଗତ ମାସରେ ଆମେ ଦୁଇ ଶହ କୋଟି ଡୋଜ ପ୍ରଦାନର ସଂଖ୍ୟା ପାର କରିଛୁ । ଏହି ମାହାମାରୀ ସାମ୍ନା କରିବାରେ ଆମ ଉପଲବ୍ଧି ବିଶ୍ୱର ଅନେକ ବିକଶିତ ଦେଶଠାରୁ ଅଧିକ ରହିଛି । ଯେତେବେଳେ ଦୁନିଆ କରୋନା ମାହାମାରୀର ସଂକଟର ଆର୍ଥିକ ପରିଣାମ ସହ ଲଢେଇ କରୁଥିଲା ସେତେବେଳେ ଭାରତ ନିଜକୁ ସମ୍ଭାଳିଥିଲା ଏବଂ ପୁଣି ଥରେ ଦ୍ରୁତ ଗତିରେ ଆଗକୁ ବଢିବା ଆରମ୍ଭ କରିଥିଲା । ଏହି ସମୟରେ ଭାରତ ଦୁନିଆର ସବୁଠୁ ଦ୍ରୁତ ଗତିରେ ଆଗକୁ ବଢୁଥିବା ପ୍ରମୁଖ ଅର୍ଥ-ବ୍ୟବସ୍ଥା ମଧ୍ୟରୁ ଗୋଟିଏ’।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ‘ଆଜି ଦେଶରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅର୍ଥବ୍ୟବସ୍ଥା ତଥା ଏହା ସହ ଜଡିତ ଅନ୍ୟ କ୍ଷେତ୍ରରେ ଯେଉଁ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମୁଳୁଛି ସେଥିର ମୂଳରେ ସୁଶାସନ ଉପରେ ଦିଆଯାଉଥିବା ବଳର ପ୍ରମୂଖ ଭୂମିକା ରହିଛି । ଭାରତର ନୂଆ ଆତ୍ମବିଶ୍ୱାସର ଉତ୍ସ ହେଉଛନ୍ତି ଦେଶର ଯୁବକ, କୃଷକ ଏବଂ ସବୁଠୁ ଅଧିକ ଦେଶର ମହିଳା । ମହିଳାମାନେ ସମସ୍ତ ବାଧାକୁ ପାକ କରି ଆଗକୁ ବଢୁଛନ୍ତି । ସାମାଜିକ ଏବଂ ରାଜନୈତିକ ପ୍ରକ୍ରିୟାରେ ସେମାନଙ୍କ ବୃଦ୍ଧି ଭାଗିଦାରୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି’।

ସେ କହିଛନ୍ତି, ‘ଆଜି ଆମ ପରିବେଶ ସାମନାରେ ନୂଆ ନୂଆ ଆହ୍ୱାନ ରହିଛି । ଭାରତର ସୁନ୍ଦରତା ସହ ଜଡିତ ପ୍ରତିଟି ଜିନିଷକୁ ଦୃଢତାର ସହ ସୁରକ୍ଷା ପ୍ରଦାନ କରାଯିବା ଦରକାର । ପାଣି, ମାଟି ଏବଂ ଜୈବିକ ବିବିଧତାର ସଂରକ୍ଷଣ ଆମର ଭବିଷ୍ୟତ ପୀଢି ପାଇଁ ଆମର କର୍ତ୍ତବ୍ୟ’।

Related Articles

Back to top button