ରାଜ୍ୟ ପୁଲିସ ମୁଖ୍ୟାଳୟରେ ୬୪ତମ ପୁଲିସ ସହିଦ ଦିବସ ପାଳିତ

ରାଜ୍ୟ ପୁଲିସ ମୁଖ୍ୟାଳୟରେ ୬୪ତମ ପୁଲିସ ସହିଦ ଦିବସ ପାଳିତ ହୋଇଛି। ଏହି ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ‌ଯୋଗଦେଇ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ କର୍ମ‌କ୍ଷେତ୍ରରେ ସହିଦ ହୋଇଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧ‌ାଞ୍ଜଳି ଅର୍ପଣ କରିବା ସହିତ ସହିଦ ଯବାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ। ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କ ପ୍ରତି ସମସ୍ତେ କୃତଜ୍ଞ ରହିବାକୁ ଡିଜିପି ଏହି ଅବସରରେ ପରାମର୍ଶ ଦେଇଥିଲେ। ସାଧାରଣ ଜନତାଙ୍କୁ ନିରନ୍ତର ସେବା ପ୍ରଦାନ କରୁଥିବା ରାଜ୍ୟର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ସାଧୁବାଦ ଜଣାଇଥିଲେ। ରାଜ୍ୟର ନକ୍ସଲ ପ୍ରଭାବିତ ଜିଲ୍ଲାରେ ନିୟୋଜିତ ସମସ୍ତ ଯବାନଙ୍କୁ ପ୍ରଶଂସା କରିଥିଲେ। ଚଳିତ ବର୍ଷ ଭାରତର ବିଭିନ୍ନ କେନ୍ଦ୍ରୀୟ ପୁଲିସ ଦଳ ଓ ରାଜ୍ୟ ପୁଲିସର ୧୮୮ ଜଣ ଆରକ୍ଷୀ ପ୍ରାଣବଳି ଦେଇ ମାତୃଭୂମିକୁ ଗୌରବାନିତ୍ବ କରିଛନ୍ତି।

ଓଡ଼ିଶାରୁ ସହିଦ ହୋଇଥିବା ଜଗତସିଂହପୁର ଜିଲ୍ଲାର ସୁଶାନ୍ତ କୁମାର ମହାନ୍ତିଙ୍କ ସଂପର୍କରେ ଡିଜିପି ଉଲ୍ଲେଖ କରିଥି‌ଲେ। ଚଳିତ ବର୍ଷ ଆନ୍ଧ୍ରପ୍ରଦେଶରୁ ୧, ଅରୁଣାଚଳପ୍ରଦେଶରୁ ୨, ଆସାମରୁ ୨, ବିହାରରୁ ୮, ଛତିଶଗଡ଼ରୁ ୧୯, ଗୁଜୁରାଟରୁ ୨, ହିମାଚଳ ପ୍ରଦେଶରୁ ୭, ଝାଡ଼ଖଣ୍ଡରୁ ୨, କର୍ଣ୍ଣାଟକରୁ ୧୬, କେରଳରୁ ୨, ମଧ୍ୟପ୍ରଦେଶରୁ ୧୭, ମହାରାଷ୍ଟ୍ରରୁ ୬, ମଣିପୁରରୁ ୮, ନାଗାଲ୍ୟାଣ୍ଡ୍‌ରୁ ୨, ଓଡ଼ିଶାରୁ ୧, ପଞ୍ଜାବରୁ ୩, ରାଜସ୍ଥାନରୁ ୧, ତାମିଲନାଡୁରୁ ୩, ଉତ୍ତରପ୍ରଦେଶରୁ ୩, ଉତ୍ତରାଖଣ୍ଡରୁ ୪, ପଶ୍ଚିମବଙ୍ଗରୁ ୪, ଦିଲ୍ଲୀରୁ ୩, ଜମ୍ମୁ-କଶ୍ମିରରୁ ୮, ଲଦାଖରୁ ୧, ଆସାମ ରାଇଫଲ୍‌ସରୁ ୧, ବିଏସଏଫରୁ ୨୨, ସିଆଇଏସଫରୁ ୧, ସିଆରପିଏଫରୁ ୧୫, ଆଇଟିବିପିରୁ ୫, ଏସ୍‌ଏସ୍‌ବିରୁ ୫, ଏନ୍‌ଡିଆର୍‌ଏଫ୍‌ରୁ ୧, ଆରପିଏଫ୍‌ରୁ ୧୩ ଜଣ ସହିଦ ହୋଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ, ନିର୍ଦ୍ଦେଶକ ଏସସିଆରବି ବିନୟତୋଷ ମିଶ୍ର, ନିର୍ଦ୍ଦେଶକ ଭିଜିଲାନ୍‌ସ ଯଶୱନ୍ତ ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଆର.କେ. ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ, ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ଅପରେସନ୍‌ ଏସ୍‌.ଏସ୍‌ର ଦେବଦତ୍ତ ସିଂହ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ରାଜେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବୀର ସହିଦ ଯବାନଙ୍କ ଉଦ୍ଦେଶ୍ୟ‌ରେ ନିରବ ପ୍ରାର୍ଥନା କରାଯାଇଥିଲା।

Related Articles

Back to top button