ବଡଦାଣ୍ଡରେ ତିନି ରଥର ଦଣ୍ଡା ଫ୍ରେମ୍ ପ୍ରସ୍ତୁତ
ପୁରୀ : ଚାଲିଛି ରଥ ନିର୍ମାଣ । ବଡଦାଣ୍ଡରେ ତିନି ରଥର ଦଣ୍ଡା ଫ୍ରେମ୍ ପ୍ରସ୍ତୁତ ପରେ ଗୁରୁବାର ନମ୍ବରିଂ କରାଯାଇ ଖୋଲାଗଲା । ସମସ୍ତ ଅଂଶ ମାପଚୁପ ହୋଇ ଦାଗ ଦିଆଯିବା ପରେ ବର୍ତ୍ତମାନ କଳସା ଚାଲିଛି । ଗୁଜଗୁଡ଼ିକ ଦଣ୍ଡାରେ ଠିକ୍ରେ ଫିଟିଙ୍ଗ ପାଇଁ କଳସା ଚାଲିଛି । ଅର୍ଥାତ୍ ଅସମାନ ଅଂଶକୁ କାଟି ସାଇଜ୍ କରିବାରେ ଲାଗିଛନ୍ତି ତିନି ରଥର ବିଶ୍ୱକର୍ମା । କଳସା ପରେ ନିରାଡ଼ିକୁ ଗୁଜ ପୁରା ଫିଟିଙ୍ଗ ହୋଇ ସଂଯୁକ୍ତ ହେବ ।
ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହଠାତ୍ ପବନ ବର୍ଷା ଆରମ୍ଭ ହୋଇଥିଲା । ଫଳରେ ରଥ ଖଳାରେ ପ୍ରାୟ ଏକ ଘଣ୍ଟା ଧରି ନାଳ ଓ ବର୍ଷା ପାଣି ଲହଡି ମାରିଥିଲା । ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ରଥ ଖଳା ପରିଭ୍ରମଣ କରି ନିର୍ମାଣକାରୀଙ୍କ ସଙ୍ଗେ ଆଲୋଚନା କରିଥିଲେ । ଚାରି ନାହାକା ହଣା ସରିଛି । ରଥ ଚାଳିରେ ଗୟଳ ହଣା ଚାଲିଛି । ଭୋଇ ସେବକମାନେ ଚାଳିକୁ ପୋଟଳପାରେଣୀ କାଠ ଯୋଗାଇଛନ୍ତି । ଏହାର ନିର୍ମାଣ ପାଇଁ ସୂତା ବାଡ଼ିଆ ହୋଇଛି । ଏହା ହେଉଛି ରଥ ଉପରିଭାଗର କାର୍ଯ୍ୟ । ସ୍ନାନପୂର୍ଣ୍ଣିମାକୁ ଚାହିଁ ରଥ ନିର୍ମାଣ କାର୍ଯ୍ୟ ଚାଲିଛି ।
ଚାଳିରେ ରୁପକାର ସେବକମାନେ ସମସ୍ତ ସାଲ ଗୁଜ ଓ ତୀଖ ଗୁଜ ଖୋଦେଇ ସାରିଛନ୍ତି । ଗୁରୁବାର ତିନି ରଥର ସିଂହାସନ କାର୍ଯ୍ୟ ଆରମ୍ଭ ହୋଇଛି । ଠାକୁରଙ୍କ ସିଂହାସନରେ ପୂର୍ଣ୍ଣ କୁମ୍ଭ, ପଦ୍ମ, ଗଜ ମାଳ, ଡାଳି ଲତା ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ମୁଖ୍ୟ କରତି ସେବକ ରଣଜିତ୍ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଦେବଦଳନ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରି ରଖିଛନ୍ତି । ଓଝା ସେବକମାନେ ଯୋକା କଣ୍ଟା ଓ ନାହାକା କଣ୍ଟା ପ୍ରସ୍ତୁତ କରୁଛନ୍ତି ।