କୋଭିଡ୍ ସଂକ୍ରମଣ ବୃଦ୍ଧି: ଓଡ଼ିଶାରେ ପୁଣି ଲାଗୁ ହେଲା ମହାମାରୀ ଆଇନ

ଗାଇଡଲାଇନ୍ ଅନୁସାରେ କୋଭିଡ୍ ମୃତ୍ୟୁ ଅଡିଟ୍ ଜାରି ରଖିବାକୁ କହିଛି ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟରେ ପୁଣିଥରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହାମାରୀ ଆଇନକୁ ଲାଗୁ କରିଛନ୍ତି । ଓଡ଼ିଶାରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ଚଳିତବର୍ଷ ମାର୍ଚ୍ଚ ୨୮ତାରିଖରେ ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ରୁ ‘କୋଭିଡ୍‌’କୁ ମହାମାରୀକୁ ବାଦ୍ ଦେବା ନେଇ ବିଜ୍ଞପ୍ତି ଜାରି କରିଥିଲେ । ରାଜ୍ୟ ସରକାର ‘କୋଭିଡ ସଂକ୍ରମଣର ଭୟାବହତା’କୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୧୩ତାରିଖରେ ଏହାକୁ ମହାମାରୀ ଘୋଷଣା କରିଥିଲେ।

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮ଜଣ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୨୭ଜଣ ହୋଇଥିବାବେଳେ ପୁରୀରୁ ୩ଜଣ, କଟକରୁ ୨ଜଣ ଓ ରାଜ୍ୟ ପୁଲରୁ ୬ଜଣ ସାମିଲ ଅଛନ୍ତି । ଗତ ଗୁରୁବାର ରାଜ୍ୟରେ ୪୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ମେ’ ୩୧ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ମାତ୍ର ଜଣେ କୋଭିଡ୍ ସଂକ୍ରମିତ ଥିବାବେଳେ ଆଜି ଏହି ସଂଖ୍ୟା ୨୭ରେ ପହଂଚିଛି । ରାଜ୍ୟରେ ଏବେ ମୋଟ ୨୦୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ଏପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଜାରି ନିର୍ଦ୍ଦେଶନାମାରେ କୋଭିଡ୍ ସଂକ୍ରାନ୍ତ ମାନବସମ୍ବଳ ବାବଦ ଖର୍ଚ୍ଚକୁ ପବ୍ଲିକ ହେଲଥ ରେସପନ୍‌ସ ଫଣ୍ଡ (ପିଏଚଆରଏଫ)ରୁ ତୁଲାଇବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । କୋଭିଡ୍ ସର୍ଭିଲାନ୍ସ ଓ ଟେଷ୍ଟିଂ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗାଡ଼ି (୬ ବ୍ଲକରୁ ଅଧିକ ହେଲେ ୨ଟି ଗାଡ଼ି) ନିୟୋଜିତ କରିବାକୁ ବିଭାଗ କହିଛି । ଅନ୍ୟ ଗାଡ଼ିଗୁଡ଼ିକ ଜିଲ୍ଲା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଅନୁସାରେ ଉପଯୋଗ ହେବ । ଯଦି ଅଧିକ ସଂଖ୍ୟକ ଗାଡ଼ି ଭଡ଼ାରେ ଆସିଥିବ ସେଗୁଡ଼ିକୁ ତୁରନ୍ତ ହଟାଇବାକୁ କୁହାଯାଇଛି । ଓଡ଼ିଶା ରାଜ୍ୟ ଔଷଧ ନିଗମ ପ୍ରତିମାସରେ ନିଜର ଚେନ୍ ମାଧ୍ୟମରେ ଜିଲ୍ଲାଗୁଡ଼ିକୁ ରାପିଡ୍ ଆଣ୍ଟିଜେନ୍ କିଟ୍‌, ଭିଟିଏମ ଓ ଆରଟିପିସିଆର କିଟ୍ ଯୋଗାଣ ସୁନିଶ୍ଚିତ କରିବେ । ଯଦି ଜିଲ୍ଲାସ୍ତରରେ ଏହି ଉପକରଣ ଅଭାବ ପଡ଼େ ତା’ହେଲେ ସମ୍ପୃକ୍ତ ଔଷଧ ନିଗମର ଜେନେରାଲ ମ୍ୟାନେଜରଙ୍କ ସହ ଯୋଗାଯୋଗ କରି ଭୁବନେଶ୍ୱରକୁ ଗାଡ଼ି ପଠାଇ ଏସବୁ ଉପକରଣ ସଂଗ୍ରହ କରିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି।

ସେହିପରି ଜିଲ୍ଲାଗୁଡ଼ିକରେ ସଂକ୍ରମଣ ମାମଲା ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଆବଶ୍ୟକ ସଂଖ୍ୟକ ଟେଷ୍ଟିଂ କରିବାକୁ କୁହାଯାଇଛି । ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ହେବା ଉଚିତ୍ ଓ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରଟିପିସିଆର ଟେଷ୍ଟ ନିମନ୍ତେ ସ୍ୱାବ ସଂଗ୍ରହର ସୁବିଧା ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ରାପିଡ୍ ଆଂଟିଜେନ୍ ଟେଷ୍ଟ ଓ ଆରଟିପିସିଆର ଟେଷ୍ଟ ପାଇଁ ସ୍ୱାବ ସଂଗ୍ରହ ନିମନ୍ତେ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ସମସ୍ତ କୋଭିଡ୍ ସଂକ୍ରାନ୍ତ ତଥ୍ୟ ଅନଲାଇନରେ ଅପଲୋଡ୍ ଜାରି ରଖିବାକୁ କୁହାଯାଇଛି।

ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ ସଂକ୍ରାନ୍ତ ଦୈନିକ ଟ୍ୱିଟ୍ ଓ ପ୍ରେସ୍ ନୋଟ୍ ଜାରି ରହିବ ବୋଲି କୁହାଯାଇଛି । ଗାଇଡଲାଇନ୍ ଅନୁସାରେ କୋଭିଡ୍ ମୃତ୍ୟୁ ଅଡିଟ୍ ଜାରି ରଖିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି। ଏହାସହିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହାମାରୀ ଆଇନ ବଳବତ୍ତର ରହିଥିବା ସ୍ୱାସ୍ଥ୍ୟ ବିଭାଗ ତା’ର ନିର୍ଦ୍ଦେଶନାମାରେ ଉଳ୍ଲେଖ କରିଛି।

Related Articles

Back to top button