କୌଣସି ପିସିଆର ଘରୋଇ କାର୍ଯ୍ୟରେ ନିୟୋଜିତ ହେଲେ ଦାୟିତ୍ୱରେ ଥିବା ଅଫିସର ହେବେ ନିଲମ୍ବିତ

ଥାନାକୁ ଦିଆଯାଇଥିବା ପିସିଆର ଭ୍ୟାନ୍‌‌ ଗୁଡ଼ିକ ଯଦିଓ ଡ୍ୟୁଟିରେ ନିୟୋଜିତ ରହୁଛି ତେବେ ସେଥିରେ ଅବହେଳା ହେଉଥିବା ଅନେକ ସମୟରେ ଅଭିଯୋଗ ଉଠୁଛି । ଏହାକୁ ଦୃଷ୍ଟିରେ ରଖି ଡିସିପି ଡଃ କନ୍‌‌ୱର୍‌‌ ବିଶାଲ୍‌‌ ସିଂ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଖବର ମୁତାବକ, ଡିସିପି କହିଛନ୍ତି ଘଟଣାସ୍ଥଳକୁ ପିସିଆର ଭ୍ୟାନ୍‌‌ ଯାଉଥିବାରୁ, ସେଥିରେ କାର୍ଯ୍ୟରତ ପୁଲିସ କର୍ମଚାରୀ ସାଧାରଣ ଲୋକଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବେ । ଘଟଣାସ୍ଥଳରୁ ତୁରନ୍ତ ନିକଟସ୍ଥ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେବା ସହିତ ପରିସ୍ଥିତି ସମ୍ପର୍କରେ ଆଇଆଇସି କିମ୍ବା ଏସିପିଙ୍କୁ ଅବଗତ କରାଇବେ । ଯଦି କୌଣସି ପିସିଆର ଘରୋଇ କାର୍ଯ୍ୟରେ ନିୟୋଜିତ ହେଉଥିବା ସୂଚନା ମିଳେ, ତବେ ଦାୟିତ୍ୱରେ ଥିବା ଅଫିସରଙ୍କୁ ନିଲମ୍ବନ କରାଯିବ । ପିସିଆର ଭ୍ୟାନ୍‌‌ ଗୁଡ଼ିକରେ ଲାଗିଥିବା ଜିପିଏସ୍‌‌ ରିପୋର୍ଟକୁ ଡିସିପି ପ୍ରତ୍ୟେକ ଦିନ ଯାଞ୍ଚ କରିବେ । କୌଣସି ସ୍ଥାନରେ ବିନା କାରଣରେ ପିସିଆର ଭ୍ୟାନ୍‌‌କୁ ଛିଡ଼ା କଲେ ସେ ସମ୍ପର୍କରେ ଭ୍ୟାନ୍‌‌ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କୈଫିୟତ ଦେବାକୁ ପଡ଼ିବ ଏବଂ ଦୁର୍ଘଟଣା ସମୟରେ ଆବଶ୍ୟକ ହେଲେ ଆହତଙ୍କୁ ମେଡିକାଲରେ ପହଞ୍ଚାଇବା କାର୍ଯ୍ୟକୁ ସୂଚାର ଭାବେ କରିବାକୁ କୁହାଯାଇଛି । ଯେଉଁ ସହରର ଆଇନଶୃଙ୍ଖଳା ପରିସ୍ଥିତି ଯେତେ ଉନ୍ନତ ସେ ସହରର ପିସିଆର ଡ୍ୟୁଟି ସେତେ କଠୋର ବୋଲି ଡିସିପି କହିଛନ୍ତି । ଏଣୁ ନିଜ ଡ୍ୟୁଟିରେ ଅବହେଳା ପ୍ରଦର୍ଶନ ନକରିବାକୁ ପିସିଆର ଡ୍ରାଇଭରଙ୍କୁ କୁହାଯାଇଛି ।

Related Articles

Back to top button