
ଅସହ୍ୟ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ଏପ୍ରିଲ ୨୫ରୁ ଖରା ଛୁଟି ଘୋଷଣା କରିଛନ୍ତି ରାଜ୍ୟସରକାର
ରାଜ୍ୟରେ କ୍ରମାଗତ ଭାବେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ଏବଂ ଅସହ୍ୟ ତାତିରେ ଯେଭଳି ଛାତ୍ରଛାତ୍ରୀ ମାନେ କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ଅସୁବିଧାରେ ନ ପଡିବେ, ସେ ନେଇ ରାଜ୍ୟ ସରକାର ଚଳିତ ଏପ୍ରିଲ ୨୫ରୁ ଖରାଦିନ ଛୁଟି ଘୋଷଣା କରିଛନ୍ତି। ଅନ୍ୟ ପକ୍ଷରେ ଏପ୍ରିଲ ୨୨ରୁ ୨୪ ପର୍ଯ୍ୟନ୍ତ ସକାଳ ୬.୩୦ରୁ ୧୦.୩୦ ଯାଏଁ ସ୍କୁଲରେ ପାଠପଢ଼ା ପାଇଁ ସମୟ ନିର୍ଘଣ୍ଟ କରିଛନ୍ତି ରାଜ୍ୟ ସରକାର।
ପୂର୍ବରୁ ଜୁନ ୧ରେ ଖରା ଛୁଟି ଘୋଷଣା କରାଯାଉଥିଲା ଓ ଶେଷ ରଜ ପର୍ବର ପରଦିନ ସ୍କୁଲ ଖୋଲୁଥିଲା। କିନ୍ତୁ କିଛି ବର୍ଷ ହେବ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ, ରାଜ୍ୟ ସରକାରଙ୍କୁ ପାଠପଢା ସମୟ ପରିବର୍ତ୍ତନ ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ଛୁଟି ଘୋଷଣା କରିବାକୁ ପଡୁଛି।
ତେବେ ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ।