ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆହୁରି ବଢ଼ିବ ତାତି

ମାର୍ଚ୍ଚରୁ ଅସହ୍ୟ ହେଲାଣି ଖରା ପ୍ରକୋପ । ଶୁକ୍ରବାର ଚଳିତ ବର୍ଷର ସର୍ବୋଚ୍ଚ ଉତ୍ତାପ ଅନୁଭୂତ ହୋଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଛୁଇଁଛି ସର୍ବୋଚ୍ଚ ତାପମାତ୍ରା। ରାଜ୍ୟର ୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁଥିବାବେଳେ ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ। ଗ୍ରୀଷ୍ମ ଓ ଆର୍ଦ୍ର ପାଗ ଲାଗି ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଟିଟିଲାଗଡ଼, ବଲାଙ୍ଗୀର, ନୟାଗଡ଼, ବୌଦ୍ଧ ଓ ଭବାନୀପାଟଣାରେ ପାରଦ ୪୦ ଡିଗ୍ରୀ ଛୁଇଁଥିବାବେଳେ ତାଳଚେରରେ ୩୯.୮ ଡିଗ୍ରୀ, ଫୁଲବାଣୀରେ ୩୯.୨ ଡିଗ୍ରୀ, ଅନୁଗୋଳ ଓ ଝାରସୁଗୁଡ଼ାରେ ୩୯.୧ ଡିଗ୍ରୀ ଲେଖାଏଁ, ନବରଙ୍ଗପୁରରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ସେହିପରି ଭୁବନେଶ୍ବରରେ ୩୭.୪ ଡିଗ୍ରୀ ଏବଂ କଟକରେ ୩୭.୫ ଡିଗ୍ରୀ ତାପମାତ୍ରା ରହିଛି। ମୋଟ ୮ଟି ସହର ୩୫ ଡିଗ୍ରୀ ଉପରେ ରହିଛି। ଏହା ସ୍ବାଭାବିକ ତାପମାତ୍ରାଠାରୁ ପ୍ରାୟ ୪ ଡିଗ୍ରୀ ଅଧିକ। ଏପ୍ରିଲ ପ୍ରଥମ ସପ୍ତାହରେ ମଧ୍ୟ ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଉପକୂଳ ଓଡ଼ିଶାରେ ଆର୍ଦ୍ରତା ଅଧିକ ରହୁଛି; କିନ୍ତୁ ବର୍ଷା ନଥିବାରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଏବଂ ଆର୍ଦ୍ରତା ପ୍ରଭାବରେ ଖରା ସହିତ ଗୁଳୁଗୁଳି ଅନୁଭୂତ ହେଉଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆର୍ଦ୍ରତା ଉପକୂଳ ଅଞ୍ଚଳରେ ୫୦ରୁ ୭୦% ମଧ୍ୟରେ ରହୁଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୦ରୁ ୫୦% ମଧ୍ୟରେ ରହୁଛି। ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ପୂର୍ବାହ୍ନ ୧୦ଟା ଅପରାହ୍ଣ ୩ଟା ମଧ୍ୟରେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଅତ୍ୟନ୍ତ ଆବଶ୍ୟକ ହେଲେ ଖରାକୁ ଦୃଷ୍ଟିରେ ରଖି ଜରୁରୀ ପଦଦେକ୍ଷ ଯେପରି ହାଲୁକା ପୋଷାକ, ପାଣି, ଛତା ଓ ଜେତା ନେଇ ଯିବାକୁ ପରାମର୍ଶ ଦିଆଯାଇଛି। ଛୋଟ ପିଲା, ବୁଢ଼ାବୁଢ଼ୀ, ମହିଳାଙ୍କୁ ସିଧାସଳଖ ଟାଣ ଖରାକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଚାଷୀମାନଙ୍କୁ ସେମାନଙ୍କ ଫସଲରେ ଯଥେ‌ଷ୍ଟ ପରିମାଣରେ ଜଳସେଚନ କରିବାକୁ ପରାମର୍ଶ ଦିଆଯାଇଛି। ଏପ୍ରିଲ ପ୍ରଥମ ସପ୍ତାହରେ ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଉତ୍କଳ ଦିବସ ଦିନ ରାଜଧାନୀରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ଏପ୍ରିଲ ୨ରେ ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିବ। ଏହି ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୯ଡିଗ୍ରୀ ଅତିକ୍ରମ କରିପାରେ। ଉପକୂଳରେ ଗୁଳୁଗୁଳି ଜାରି ରହିବ। ସପ୍ତାହ ଯାଏଁ ରାଜ୍ୟରେ ତାତି କମିବାର ସମ୍ଭାବନା ନାହିଁ। ସେହିପରି ୩୦ରୁ ୩୧ ତାରିଖ ଯାଏଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କାଳବୈଶାଖୀ ନେଇ ପାଣିପାଗ କେନ୍ଦ୍ର ହଳଦିଆ ସତର୍କତା ଜାରି କରିଛି। ଏହି ସମୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି।

Related Articles

Back to top button