ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା

ସାବିତ୍ରୀ ବ୍ରତ ଓଡ଼ିଶାରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା। ସାବିତ୍ରୀ ସ୍ବାଧୀ ନାରୀଙ୍କର ଆଦର୍ଶ; ତେଣୁ ସ୍ବାମୀଙ୍କର ଦୀର୍ଘ ଆୟୁଷ କାମନା କରି ଜ୍ୟେଷ୍ଠ ଅମାବାସ୍ୟାରେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି ପ୍ରତ୍ୟେକ ମହିଳା । ଏହି ଦିନ ସଧବା ନାରୀମାନେ ପ୍ରତ୍ୟୁଷରୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରିବା ସହ ନୂଆ ଶଙ୍ଖା, ଚୁଡ଼ି ପିନ୍ଧିଥାନ୍ତି। ଏହାପରେ ଫଳମୂଳ ସହ ନୂଆ ଶାଢ଼ି, ଶଙ୍ଖା, ସିନ୍ଦୂର, ବ୍ରତ,ଧୂପକାଠି, କାଠପାନିଆ, କଳାମାଳି, ଆଇନା ଆଦିକୁ ଥାଳିରେ ସଜାଇ ପୂଜା ପାଇଁ ପ୍ରସ୍ତୁତି କରିଥାନ୍ତି । ଆମ ଓଡ଼ିଶାରେ ସାବିତ୍ରୀ ଓଷାକୁ ବିଭିନ୍ନ ଢଙ୍ଗରେ ପାଳନ କରାଯାଏ । କେତେକ ସ୍ଥାନରେ ସ୍ତ୍ରୀଲୋକମାନେ ଏକତ୍ର ହୋଇ ତୁଳସୀ ଚଉଁରା ମୂଳେ ପୂଜା କରିଥାନ୍ତି। ଆଉ କେତେକ ସ୍ଥାନରେ ମହିଳାମାନେ ମନ୍ଦିରକୁ ଯାଇ ପୂଜା କରାଇଥାନ୍ତି। ଘରେ ଶିଳପୁଆରେ ମଧ୍ୟ କେହି କେହି ସାବିତ୍ରୀ ବ୍ରତ ପୂଜା କରିଥାନ୍ତି। ଶିଳପୁଆକୁ ପଞ୍ଚାମୃତ ଜଳରେ ସ୍ନାନ କରାଇ, ନୂତନ ବସ୍ତ୍ର ଅଳଙ୍କାରରେ ସଜାଇ ଦେବୀ ସାବିତ୍ରୀ ରୂପେ ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି।

ପୂଜା ହୋଇଥିବା ଶାଢ଼ି, ସିନ୍ଦୂର, ଶଙ୍ଖା ଓ ବ୍ରତକୁ ପିନ୍ଧି ସ୍ବାମୀଙ୍କୁ ଫୁଲ, ଚନ୍ଦନ ଦେଇ ପୂଜା କରନ୍ତି ଏବଂ ଶେଷରେ ସ୍ବାମୀଙ୍କ ଚରଣ ଛୁଇଁ ପ୍ରଣାମ କରିଥାନ୍ତି। ସ୍ବାମୀଙ୍କ ଦୀର୍ଘାୟୁ ଜୀବନର କାମନା କରିବା ସହ ପରିବାରର ମଙ୍ଗଳ ପାଇଁ ପ୍ରାର୍ଥନା କରିଥାନ୍ତି। ଏହି ପର୍ବରେ ବିଶେଷ କରି ବିଭିନ୍ନ ପ୍ରକାର ଫଳମୂଳ, ଯେପରି ପାଚିଲା ଆମ୍ବ, ପାଚିଲା ପଣସ, ସପୁରି, ତାଳସଜ, ନଡ଼ିଆ, କଦଳୀ, ଲିଚୁ, ଜାମୁକୋଳି ଆଦି ଭୋଗ କରାଯାଇଥାଏ । ତେବେ ପୂଜା ଶେଷ ହେବାପରେ ମହିଳାମାନେ ଭୋଗକୁ ଖାଇ ନିର୍ଜଳା ଉପବାସ ଭାଙ୍ଗିଥାନ୍ତି । ଦିନସାରା କେବଳ ଫଳାହାର ସହ ପଣା ପିଇ ରହିଥାନ୍ତି । ସମ୍ପୂର୍ଣ୍ଣ ସାତ୍ତ୍ବିକ ଭାବେ ଦିନଟିକୁ କଟାଇଥାନ୍ତି ଏବଂ ରାତ୍ରିରେ ନଖାଇବାର ପରମ୍ପରା ରହିଛି । ଯେଉଁ ନାରୀ ଏହି ବ୍ରତ କରେ, ସେ ଆଜୀବନ ସଧବା ଏବଂ ପୁତ୍ରବତୀ ହୋଇ ମୃତ୍ୟୁ ପରେ ବୈକୁଣ୍ଠପ୍ରାପ୍ତି କରେ ବୋଲି ବିଶ୍ବାସ ରହିଛି ।

Related Articles

Back to top button