ଆଜି ହେଉଛି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି

ଆଜି ହେଉଛି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି। ତିନି ଦିନ ଧରି ପାଳିତ ହେଉଥିବା ଓଡ଼ିଶାର ଏହି ଗଣପର୍ବ ରଜ ପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇଉଠିଛି।

ଘରେ ଘରେ ପିଠାପଣା ପ୍ରସ୍ତୁତି ସାଙ୍ଗକୁ ହସଖୁସିର ମାହୋଲ ଜମିଛି। ରଜପର୍ବର ମୁଖ୍ୟ ଆକର୍ଷଣ କୁହାଯାଉଥିବା ଦୋଳି ଘରେ ଘରେ ବନ୍ଧା ହେବା ସହ ବିଭିନ୍ନ ସ୍ଥାନରେ ଦୋଳିର ଆୟୋଜନ କରାଯାଇଛି। ଦୋଳିଖେଳିବାକୁ ପିଲାଠାରୁ କିଶୋରୀଙ୍କ ପର୍ଯ୍ୟନ୍ତ ଭିଡ଼ ଦେଖିବାକୁ ମିଳୁଛି।

ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ଗାଁରେ ଦୋଳି ଏବଂ ପୁଚି ଖେଳି ଝିଅମାନେ ରଜ ପାଳନ କରୁଥିବା ବେଳେ ପୁରୁଷମାନେ ଚାସ, ଲୁଡୁ ଆଦି ଖେଳି ରଜପର୍ବର ମଜା ନେଉଛନ୍ତି।

ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି। ଆଷାଢ଼ର ପ୍ରଥମ ବର୍ଷାରେ ପୃଥିବୀ ଶୀତଳ ହେବା ସହ ପ୍ରଜନନକ୍ଷମ ହୋଇଥାଏ। ପୃଥିବୀମାତାର ଏହି ଅବସ୍ଥାକୁ ରଜସ୍ୱଳା ନାରୀ ସହ ତୁଳନା କରି ପୂର୍ଣ୍ଣବିଶ୍ରାମ ଦିଆଯାଏ।

ଏଥିସହିତ କୃଷିକର୍ମରୁ ଅବ୍ୟାହତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଥାନ୍ତି କୃଷକସମାଜ। ବିଭିନ୍ନ ପ୍ରକାରର ପିଠାପଣାରେ ମହକିଯାଏ ଓଡ଼ିଶାର ପୂରପଲ୍ଲୀ। ରଜପାନ ଖିଆ, ଦୋଳିରେ ଝୁଲିବା, ଲୁଡୁ, ତାସ୍ ଖେଳ ଓ ବନ୍ଧୁଶଙ୍ଖୁଳା ମଧ୍ୟରେ ଉତ୍ସବମୁଖର ହୋଇଉଠେ ପରିବେଶ। ପହିଲି ବର୍ଷାର ସ୍ପର୍ଶରେ ପଲ୍ଲବିତ ହୁଏ ପୃଥିବୀ।

Related Articles

Back to top button