ଆଜି ମହାଶିବରାତ୍ରୀରେ ଉପାସ ରହି ରାତିରେ ଦୀପ ଜାଳିବେ ଭକ୍ତ

ଆଜି ମହାଶିବରାତ୍ରୀରେ ଦିନ ସାରା ଉପାସରେ ରହିବା ସହ ରାତିରେ ଉଜାଗର ରହି ଦୀପ ଜାଳିବେ ଭକ୍ତ । ରାତିରେ ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ ।ଏ ନେଇ ସକାଳୁ ସକାଳୁ ଚଳଚଞ୍ଚଳ ଶୈବପୀଠ । ଭକ୍ତମାନେ ମହାଦେବଙ୍କ ଦର୍ଶନ ପାଇଁ ଶିବାଳୟରେ ଭିଡ଼ ଲଗାଇଛନ୍ତି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀ ଲୋକନାଥ ମନ୍ଦିର, ଧବଳେଶ୍ୱର, ଆଖଣ୍ଡଳମଣୀ ପୀଠ, କପିଳାସ ଆଦି ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି ।

ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ମହାଦେବଙ୍କ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟ ରାତି 10ଟାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହୋଇଛି । ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପବିତ୍ର ଜାଗରରେ ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ପୂଜକ ସମିତି ପକ୍ଷରୁ ଭୋର ଚାରିଟା ରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯାଇଛି। ଏହାପରେ କେତକୀ ଫୁଲରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର ।

 

ଅପରାହ୍ନରେ ଚାରି ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗ ଲାଗି କରାଯିବ । ଏହାପରେ ବେଢ଼ା ପରିକ୍ରମା କରାଯିବା ସହିତ ରାତ୍ର ଗୋଟାଏରେ ଉଠିବ ମହାଦୀପ । ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

Related Articles

Back to top button