ମେଣ୍ଟକୁ ନେଇ ପୁଣି ସନ୍ଦେହ ବଢ଼ାଇଲା ଶାହାଙ୍କ ବୟାନ

ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଂଟ ହେବ କି ନାହିଁ ସସପେନ୍ସ ହଟିବାର ନାଁ ଧରୁନି। ଉଭୟ ବିଜେପି ଓ ବିଜେଡିର ଶୀର୍ଷ ନେତୃତ୍ୱଙ୍କ ବୟାନ ଏହି ମେଂଟ ସସପେନ୍ସକୁ ଅଧିକ ରହସ୍ୟମୟ କରିବାରେ ଲାଗିଛି। ଏସବୁ ମଧ୍ୟରେ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ପୁଣିଥରେ ଏକ ବଡ଼ ବୟାନ ଆସିଛି। ଓଡ଼ିଶାରେ ଏକାଠି ଲଢ଼ିବୁ କିମ୍ବା ଏକା ଲଢ଼ିବୁ ତାହା ସ୍ଥିର ହୋଇନି। ମାତ୍ର ଏକାକୀ ଲଢ଼ିଲେ ରାଜ୍ୟରେ ସରକାର ଗଢ଼ିବା ପାଇଁ ହିଁ ଲଢ଼ିବୁ ବୋଲି ଶାହ କହିଛନ୍ତି। ଗତକାଲି ବିଜେଡି ନେତା ଭିକେ ପାଣ୍ଡିଆନ ଦୁଇ ଦଳର ଶୀର୍ଷ ନେତା ଏକାଠି ହେବାକୁ ଚାହାଁନ୍ତି ବୋଲି ବୟାନ ଦେଇଥିଲେ।

ନୂଆଦିଲ୍ଲୀରେ ଏକ ଜାତୀୟ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ ଏହା କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ଏହା ନିଶ୍ଚିତ , ଓଡ଼ିଶାରେ ଆମର ସ୍ଥିତି ବହୁତ ଅଧିକ ସୁଦୃଢ଼ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଲୋକଙ୍କ ଭଲପାଇବା ଅଛି। ଦଳର କର୍ମକର୍ତ୍ତା ଉତ୍ସାହ ଓ ବିନମ୍ରତାର ସହ ଏହାକୁ ସ୍ୱୀକାର କରୁଛନ୍ତି ଓ ଅନୁଭବ ବି କରୁଛନ୍ତି। ତେଣୁ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳ ବହୁତ ଭଲ ହେବ। ନିର୍ବାଚନୀ ପଣ୍ଡିତମାନଙ୍କ ଗଣନାଠୁ ଢ଼େରଗୁଣ ଅଧିକ ସିଟ୍ ପାଇବୁ। ତେବେ ବିଜେଡି ସହ ମେଂଟକୁ ନେଇ ଶ୍ରୀ ଶାହ ଆହୁରି କହିଛନ୍ତି ଯେ, “କିଛି ବି ହୋଇପାରେ। ଆମେ ଏକାଠି ଲଢ଼ିବୁ କି ଏକାକୀ ଲଢ଼ିବୁ ତାହା ସ୍ଥିର ହୋଇଯାଉ। ଯଦି ମିଶିକି ଲଢ଼ିବୁ ବିଜୁବାବୁ ନେତା। ସ୍ୱାଭାବିକ ଭାବେ ଆମେ ସହଯୋଗୀ ଭଳି ଲଢ଼ିବୁ। ଯଦି ଏକାକୀ ଲଢ଼ିବୁ ତା’ହେଲେ ସରକାର ଗଠନ କରିବାକୁ ହିଁ ଲଢ଼ିବୁ।ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ମେଂଟ ସର୍ବଦା ଆବଶ୍ୟକତା ଆଧାରରେ ହୁଏନି। ବହୁତ ଦଳ ରାଷ୍ଟ୍ରୀୟ ସ୍ୱାର୍ଥରେ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇଥାନ୍ତି। ଧାରା-୩୭୦ ଉଚ୍ଛେଦ , ଜିଏସଟି ଓ ନିର୍ବାଚନୀ ବଣ୍ଡ ଆଦି ପ୍ରସଙ୍ଗରେ ବି ସମର୍ଥନ ମିଳିଛି। ତେଣୁ ଏହା ହେଉଛି ଗଣତନ୍ତ୍ରର ସୌନ୍ଦର୍ଯ୍ୟ। ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ରାଷ୍ଟ୍ରୀୟ ହିତରେ ରାଜନୀତିକ ଦଳଗୁଡ଼ିକ ସରକାରଙ୍କୁ ସମର୍ଥନ ଦେଇଥାନ୍ତି।

Related Articles

Back to top button