କୋରାପୁଟ ଓ ମାଲକାନଗିରିରେ ଅଜଣା ରୋଗ ଆତଙ୍କ

ଅଜଣା ରୋଗର ଆତଙ୍କରେ ଛାନିଆ ଲୋକେ। ସପ୍ତାହକରେ ଗଲାଣି ତିନି ଜଣଙ୍କ ଜୀବନ। ମୃତ୍ୟୁ ପୂର୍ବରୁ ଶରୀରର ଦେହ, ହାତ ଆଦି ଫୁଲି ଯାଉଛି। ଆଉ ପରେ ତାଙ୍କର ମୃତ୍ୟୁ ଘଟୁଛି। କୋରାପୁଟରେ ଏଭଳି ଅଜଣା ରୋଗ ବ୍ୟାପିଛି। ମାଲକାନଗିରି ମାଥିଲିରେ ମଧ୍ୟ ଅଜଣା ରୋଗର ଆତଙ୍କ ଦେଖାଦେଇଥିବା ସୂଚନା ରହିଛି।

କୋରାପୁଟ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର କାଣ୍ଡିକିଗୁଡା ଗ୍ରାମରେ ଏହି ଆତଙ୍କ ଦେଖା ଦେଇଛି। ୪୫ ଘର ବିଶିଷ୍ଟ ୧୯୪ ଜନସଂଖ୍ୟା ରହିଥିବା ଗ୍ରାମରେ ଦୁଇ ବର୍ଷ ହେଲା ଅଜଣା ରୋଗ ଆତଙ୍କ ଖେଳେଇ ଦେଇଛି। ତେବେ ଏହି ରୋଗର କାରଣ ଏଯାଏ ଜଣାପଡ଼ି ନାହିଁ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରୋଗୀର ଗୋଡ଼ ହାତ ଏବଂ ମୁହଁ ଫୁଲିଯାଉଛି। ଦୁର୍ବଳ ଅନୁଭବ କରିବା ସହ ଶଯ୍ୟାଶାୟୀ ହୋଇପଡୁଛନ୍ତି। ପନ୍ଦରରୁ କୋଡ଼ିଏ ଦିନ ମଧ୍ୟରେ ରୋଗୀଟିର ମୃତ୍ୟୁ ହୋଇଯାଉଛି। ଗତ ସପ୍ତାହକ ମଧ୍ୟରେ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ଗତକାଲି ଜଣକୁ ପ୍ରଥମେ ରାମଗିରି ଏବଂ ପରେ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ରୋଗୀର ଅବସ୍ଥା ଗୁରୁତର ଥିବାରୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରାସ୍ତାରେ ହିଁ ମୃତ୍ୟୁ ହୋଇଯାଇଥିଲା।

ସ୍ଥିତି ଅଣାୟତ ହେଉଥିବା ଦେଖି ରାମଗିରିରୁ ଏକ ମେଡ଼ିକାଲ ଟିମ୍ କାଣ୍ଡିକିଗୁଡା ଗ୍ରାମରେ ପହଞ୍ଚିଥିଲେ। ଲୋକଙ୍କୁ ଭେଟିବା ପରେ ଦୁଇ ଜଣ ରୋଗୀଙ୍କୁ ରାମଗିରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଛି। ଆସନ୍ତାକାଲି ସାତ ଜଣିଆ ଡ଼ାକ୍ତରୀଦଳ ସେଠାରେ ପହଞ୍ଚିବେ ବୋଲି ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡ଼ାକ୍ତର ଅଧିରାଜ ସାହୁ ପ୍ରକାଶ କରିଛନ୍ତି।

ଗ୍ରାମବାସୀମାନେ କହିଛନ୍ତି ଯେ, ଗତବର୍ଷ ମଧ୍ୟ ଏହି ସମୟରେ ହିଁ ଏଭଳି ଅଜଣା ରୋଗରେ ଛଅ ଜଣକର ମୃତ୍ୟୁ ଘଟିଥିଲା। ଅଗଷ୍ଟ ମାସ ଶେଷ ଏବଂ ସେପ୍ଟେମ୍ବର ମାସ ପ୍ରଥମ ଭାଗରେ ହିଁ ଲୋକେ ମୁଖ୍ୟତଃ ଏହି ରୋଗରେ ଆକ୍ରାନ୍ତ ହେବା ସହ ମୃତ୍ୟୁବରଣ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ମାଲକାନଗିରି ମାଥିଲିରେ ଅଜଣା ରୋଗ ୧୧ ଜଣଙ୍କ ଜୀବନ ନେଇଛି। ଜିଲ୍ଲାର ହଳଦୀକୁଣ୍ତ , ଟକେଲଗୁଡା , ବାମନଗୁଡା ଗାଁରେ ଏହି ଅଜଣା ରୋଗ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ୧୧ ଗ୍ରାମବାସୀଙ୍କର ଏହି ଅଜଣା ରୋଗରେ ମୃତ୍ୟୁ ଘଟିଥିବା ଜଣାପଡିଛି।

Related Articles

Back to top button