ଓଡ଼ିଶା କଂସା ଓ ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀର ଜି.ଆଇ. ମାନ୍ୟତା ପାଇଁ ଆବେଦନ
ଭୁବନେଶ୍ୱର: ଓଡ଼ିଶା କଂସା ଓ ପିତ୍ତଳ କାମର ଜିଆଇ ମାନ୍ୟତା ପାଇଁ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧିନସ୍ଥ ‘ଉତ୍କଳିକା’ ମାଧ୍ୟମରେ ଆବେଦନ କରାଯାଇଅଛି । ସାମଗ୍ରୀ ଗୁଡିକର ଭୌଗୋଳିକ ସୂଚକାଙ୍କ (ପଞ୍ଜୀକରଣ ଓ ସଂରକ୍ଷଣ) ଅଧିନିୟମ, ୧୯୯୯ ଦ୍ବାରା ସାମଗ୍ରୀ ଗୁଡିକର ଭୌଗୋଳିକ ସୂଚକାଙ୍କର ପଞ୍ଜୀକରଣ ଓ ଉନ୍ନତ ମାନର ସଂରକ୍ଷଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଓଡ଼ିଶାରେ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡିକର ବୈଶିଷ୍ଟ୍ୟ ସୁରକ୍ଷା କରିବା ଓ ଏହାର ବେଆଇନ ବ୍ୟବହାର ବନ୍ଦ କରିବା ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓଡ଼ିଶାରେ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡିକର ଭୌଗୋଳିକ ସୂଚକାଙ୍କ ମାନ୍ୟତା ପାଇଁ ବିଶେଷ ପଦକ୍ଷେପ ନେଉଛନ୍ତି । ଅନ୍ତର୍ଜାତୀୟ ବଜାରରେ ଓଡ଼ିଶାର ହସ୍ତଶିଳ୍ପର ଏକ ସ୍ୱତନ୍ତ୍ର ବ୍ରାଣ୍ଡ ସୃଷ୍ଟି ନିମନ୍ତେ ଏହା ମଧ୍ୟ ସହାୟକ ହେବ।
କଂସା ଓ ପିତ୍ତଳ କାମ ପାଇଁ ପିତ୍ତଳ ଓ ଅନ୍ୟ ଧାତୁ ବ୍ୟବହାର କରି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ଉତ୍ପାଦନ ପ୍ରଣାଳୀ ଓ ସାମଗ୍ରୀଗୁଡିକର ବିସ୍ତୃତ ବିବରଣୀ ପ୍ରସ୍ତୁତି କ୍ରମେ ଆବେଦନ କରାଯାଇଅଛି । ଏଥି ପାଇଁ ୨୮ଟି ଜିଲ୍ଲାରେ ଅବସ୍ଥିତ ଅନେକ କଂସା ଓ ପିତ୍ତଳ ହସ୍ତଶିଳ୍ପ ପୁଞ୍ଜରୁ ତଥ୍ୟ ସଂଗ୍ରହ କରାଯାଇଅଛି।
ପୂର୍ବରୁ କୋଣାର୍କ ପଥର ଖୋଦେଇ , ପିପିଲି ଚାନ୍ଦୁଆ ଓ ଓଡ଼ିଶା ପଟ୍ଟଚିତ୍ରର ଭୌଗଳିକ ସୂଚକାଙ୍କ ପଞ୍ଜୀକରଣ କରାଯାଇଅଛି । ଏତଦ୍ବ୍ୟତୀତ କଟକ ଚାନ୍ଦି ତାରକସୀ ଓ ଓଡ଼ିଶା କାଇଁଚ କାମ ହସ୍ତଶିଳ୍ପର ଭୌଗୋଳିକ ସୂଚକାଙ୍କ ପଞ୍ଜୀକରଣ ନିମନ୍ତେ ଆବେଦନ କରାଯାଇଅଛି ଓ ଏହା ଏବେ ଚେନ୍ନାଇସ୍ଥିତ ଭୌଗୋଳିକ ସୂଚକାଙ୍କରେ ରେଜିଷ୍ଟେସନ୍ ପାଇଁ ବିଚାରାଧିନ ରହିଛି।
ପରବର୍ତ୍ତୀ ପର୍ଯ୍ୟାୟରେ ବେଳଗୁଣ୍ଠାର ନମନୀୟ ପିତ୍ତଳ ମାଛ, ବରପାଲିର ଟେରାକୋଟା ଛାତ ଟାଇଲ୍, ପୁରୀର କାଗଜ ମୁଖା, ଢେଙ୍କାନାଳ ଜିଲ୍ଲା ଜିରାଳର ନଡା କାମ , ବାଲେଶ୍ୱରର ଲାଖ କେ„ଇ , ଓଡ଼ିଶା ଢୋକରା କାଷ୍ଟିଙ୍ଗ, ନୀଳଗିରିର ପଥର କାମ ଓ ପଥର ବାସନ, ବଲାଙ୍ଗୀର ଧାନରୁ ପ୍ରସ୍ତୁତ ହସ୍ତଶିଳ୍ପ, ସୁବର୍ଣପୁରର ଟେରାକୋଟା, ଗଜପତି ଜିଲ୍ଲାର ଶିଂଗ କାମ, ନବରଙ୍ଗପୁରର ଲାଖ ପେଡି ଓ ପୁରୀର ତାଳପତ୍ର ପୋଥି ଚିତ୍ର ପରି ହସ୍ତଶିଳ୍ପର ଜିଆଇ ମାନ୍ୟତା ପାଇଁ ଆବେଦନ ନିମନ୍ତେ ପଦକ୍ଷେପ ନିଆଯାଉଅଛି ବୋଲି ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ସୂତ୍ରରୁ ପ୍ରକାଶ।