ଜେନେରାଲ କାଉନ୍‌ସିଲ ବୈଠକ ରଦ୍ଦା କଲା ଭାରତୀୟ କୁସ୍ତି ସଂଘ

ନୂଆଦିଲ୍ଲୀ: ଜେନେରାଲ କାଉନ୍‌ସିଲ ବୈଠକ ରଦ୍ଦା କଲା ଭାରତୀୟ କୁସ୍ତି ସଂଘ(WFI)।  ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ସହ ଅନ୍ୟାନ୍ୟ ଅଭିଯୋଗ ଲାଗିବା ପରେ ସଂଘ ପକ୍ଷରୁ ଜାନୁଆରୀ ୨୨ ରବିବାର ଜେନେରାଲ୍ କାଉନସିଲ୍ ବୈଠକ ଡକାଯାଇଥିଲା। ଏଥିରେ ସମସ୍ୟା ସମ୍ପର୍କରେ ଆଲୋଚନା ହେବାର ଥିଲା। ବ୍ରିଜ ଭୂଷଣ ଇସ୍ତଫା ଦେଇଥାନ୍ତେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା। ହେଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟ ମାମଲା ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେବା ପରେ ବୈଠକକୁ ରଦ୍ଦ କରିଦିଆଯାଇଛି।

ତେବେ ତଦନ୍ତ ସମୟରେ ଶରଣ ସିଂହଙ୍କୁ WFI ପଦରୁ ହଟାଇ ଦିଆଯିବ ବୋଲି କ୍ରୀଡ଼ାମନ୍ତ୍ରାଳୟ କହିଛି। କ୍ରୀଡ଼ାମନ୍ତ୍ରାଳୟର ଆଶ୍ୱାସନା ପରେ ଆନ୍ଦୋଳନରତ ରେସଲରମାନେ ଶନିବାର ୨୦ ତାରିଖରେ ନିଜର ଆନ୍ଦୋଳନ ବନ୍ଦ କରିଛନ୍ତି।

WFIରେ ଅନିୟମିତତା ଓ ଅଧ୍ୟକ୍ଷ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଜାନୁଆରୀ ୧୮ ତାରିଖରେ ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରିଥିଲେ ଭାରତ ଷ୍ଟାର୍ ରେସଲର। ଏହି  ଧାରଣାରେ ବିନେଶ ଫୋଗାଟା, ବଜରଙ୍ଗ ପୁନିଆ, ଶାକ୍ଷୀ ମଲିକ, ଅଂଶୁ ମଲୀକ, ରବି ଦହିଆଙ୍କ ଭଳି ରେସଲର ସାମିଲ୍ ଥିଲେ। ଆନ୍ଦୋଳନ ଚାଲିବାର ଦିନକ ପରେ ଖେଳାଳିମାନଙ୍କୁ ଭେଟିଥିଲେ କେନ୍ଦ୍ରୀ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର। ଅଭିଯୋଗ ଶୁଣିବା ପରେ ସମାଧାନର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହାପରେ ଶୁକ୍ରବାର ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ତେବେ ଗତକାଲି ଘଟଣା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଯେ ମାମଲାରେ ଏକ କମିଟି ଗଠନ କରି ଯାଞ୍ଚ କରିବ। ସେ ପର୍ଯ୍ୟନ୍ତ ଦେଶର ରେସଲିଂ ସମ୍ପର୍କିତ ସମସ୍ତ କାର୍ଯ୍ୟକୁ ନିଲମ୍ବିତ କରାଯାଇଛି। ତଦନ୍ତ ରିପୋର୍ଟ ନସିବା ପର୍ଯ୍ୟନ୍ତ ବ୍ରିଜ ଭୂଷଣଙ୍କୁ ମଧ୍ୟ WFI ପଦରୁ ହଟାଇ ଯାଇଛି। ୪ ସପ୍ତାହ ମଧ୍ୟରେ ନ୍ୟାୟ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ଏହି ଘଟଣାରେ ଭାରତୀୟ ଅଲିମ୍ପିକ ଆସୋସିଏସନ୍‌ ମଧ୍ୟ ୭ ଜଣିଆ କମିଟି ଗଠନ କରିଛି। ଏଥିରେ କିମ୍ବଦନ୍ତି ବକ୍ସର ମେରି କମ ମଧ୍ୟ ସାମିଲ୍ ଅଛନ୍ତି।

Related Articles

Back to top button