କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ, ସେନେଇ ଚର୍ଚ୍ଚା ଜୋର ଧରିଲା

ଭୁବନେଶ୍ୱର: ଅଗଷ୍ଟ ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କର ବର୍ଦ୍ଧିତ ୬ ମାସିଆ କାର୍ଯ୍ୟକାଳ ଶେଷହେବାକୁ ଯାଉଛି। ତାଙ୍କ ପରେ ଆଗାମୀ ମୁଖ୍ୟ ଶାସନ ସଚିବ କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ବିଶ୍ୱାସଭାଜନ ଓ ଦକ୍ଷ ବରିଷ୍ଠ ଓଡ଼ିଆ ଆଇଏଏସ୍‌ ଅଫିସରଙ୍କୁ ଏହି ପଦବୀରେ ବସାଇବାକୁ ରାଜ୍ୟ ସରକାର ଯୋଜନା କରୁଥିବା ଶୁଣିବାକୁ ମିଳୁଛି। ପୂର୍ବରୁ ଓଡ଼ିଆ ଆଇଏଏସ୍‌ ଅଫିସର ମୁଖ୍ୟ ଶାସନ ସଚିବ ପଦବୀରେ ବସିବା ପରମ୍ପରା ଚାଲି ଆସିଛି। ତେବେ ଏହି ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ସଚ୍ଚୋଟ ଅଫିସର ଖୋଜା ଚାଲିଛି।
ବରିଷ୍ଠତା ତାଲିକାରେ ୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଜି.ଭି.ଭି. ଶର୍ମା, ସୁଦର୍ଶନ ପାଲ ଠାକୁର, ୧୯୮୭ ବ୍ୟାଚ୍‌ର ତୁହିନକାନ୍ତ ପାଣ୍ଡେ, ନିକୁଞ୍ଜ କିଶୋର ସୁନ୍ଦରରାୟ, ଆର.କେ. ଶର୍ମା, ରାଜେଶ ବର୍ମା, ୧୯୮୮ ବ୍ୟାଚ୍‌ର ସି.ଜେ. ଭେନୁଗୋପାଳ, ପ୍ରଦୀପ୍ତ କୁମାର ମହାପାତ୍ର ରହିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ଏବେ କେନ୍ଦ୍ରୀୟ ଡେପୁଟେଶନରେ ରହିଛନ୍ତି।
ମୁଖ୍ୟ ଶାସନ ସଚିବ ଦୌଡ଼ରେ ୧୯୮୮ ବ୍ୟାଚ୍‌ ଆଇଏଏସ୍‌ ଅଫିସର ପ୍ରଦୀପ୍ତ ମହାପାତ୍ର ଓ ୧୯୮୯ ବ୍ୟାଚ୍‌ର ପ୍ରଦୀପ ଜେନାଙ୍କ ନାମ ଚର୍ଚ୍ଚାରେ ରହିଛି। ତେବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସକ ଥିବା ବେଳେ ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଏଥିଯୋଗୁ ତାଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରେ ନ ବସାଇବାକୁ ସରକାର ବିଚାର କରୁଥିବା କୁହାଯାଉଛି। ଏହି ପଦବୀ ପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ନାମ ଆଗରେ ରହିଛି। ପ୍ରଦୀପ ବିଭିନ୍ନ ବିଭାଗରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ତେବେ ସରକାର ତାଙ୍କ ଉପରେ ସେତେଟା ଭରସା କରିପାରୁ ନ ଥିବା ନେଇ ଆଲୋଚନା ହେଉଛି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ୨୦୨୨ ଫେବୃୟାରୀରୁ ଅବସର ନେଇଥିଲେ ମଧ୍ୟ ସରକାର ତାଙ୍କ ଉପରେ ପୁଣି ଭରସା କରି କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଇଛନ୍ତି। ଚଳିତ ମାସ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ପୂରିବାକୁ ଯାଉଛି। ମାତ୍ର ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଆଉ ସପ୍ତାହକ ପରେ ରାଜ୍ୟକୁ ନୂଆ ଶାସନ ସଚିବ ମିିଳିବେ ନା ସରକାର ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଇବେ ତାହା ଉପରେ ଏବେ ସଭିଙ୍କ ନଜର।
ସୂଚନାଥାଉ କି, ପ୍ରଦୀପ ଜେନା ଆସନ୍ତା ୨୦୨୪ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ। ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଯଦି ୬ ମାସ ବଢାଯାଏ ତେବେ ୨୦୨୩ ଫେବୃୟାରୀରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ଏହା ପରେ ମଧ୍ୟ ପ୍ରଦୀପ ଜେନାଙ୍କ ପାଇଁ ସୁଯୋଗ ରହିଛି। ସରକାର ଯଦି ତାଙ୍କୁ ମୁଖ୍ୟ ଶାସନ ସଚିବ ନିଯୁକ୍ତି କରନ୍ତି ତେବେ ୧୦ ମାସ ପାଇଁ ଏହି ପଦବୀରେ ରହିପାରିବେ।

Related Articles

Back to top button