ସୁନ୍ଦରଗଡ଼ରେ ଗୁଣିଗାରେଡ଼ି ସନ୍ଦେହରେ କଟୁରିରେ ହାଣି ହତ୍ୟା

ଟେନ୍‌ସା: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଖରିଆବାହାଳ ଗ୍ରାମରେ ରବିବାର ରାତିରେ ଘଟିଛି ଏକ ହତ୍ୟାକାଣ୍ଡ। ହତ୍ୟାକାଣ୍ଡର କାରଣ ଗୁଣି ଗାରେଡ଼ି ସନ୍ଦେହ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଖରିଆବାହାଳ ଗ୍ରାମର ମଙ୍ଗଳ ମୁଣ୍ଡା (୫୫) ଗୁଣି ଗାରେଡ଼ି କରି ଗାମୁଆ ମୁଣ୍ଡାଙ୍କ ପରିବାରକୁ ଅସୁବିଧାରେ ପକାଉଥିଲେ। ଏ ନେଇ ଗାମୁଆ ପୂର୍ବରୁ ଅନେକ ଥର ମଙ୍ଗଳଙ୍କ ସହ ଝଗଡ଼ା କରୁଥିଲେ। ଗତକାଲିର ଝଗଡ଼ା ଉଗ୍ର ରୂପ ନେବା ପରେ ଗାମୁଆ ଏକ କଟୁରିରେ ମଙ୍ଗଳଙ୍କୁ ଚୋଟ ପରେ ଚୋଟ ପକାଇ ହତ୍ୟା କରିଥିଲେ। ଖବର ପାଇ କେ ବଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।। ହତ୍ୟା କରିବା ପରେ ଗାମୁଆ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିଲେ। ପୋଲିସ ଜଙ୍ଗଲରୁ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୋମବାର ମୃତଦେହ ବ୍ୟବଚ୍ଛେଦ ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି। ସେହିପରି ଗତକାଲି ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜଡ଼ା ଗ୍ରାମର ଜନୈକା ବୃଦ୍ଧା ମୁନି ଓରାମଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇ ବ୍ରାହ୍ମଣୀ ନଦୀରେ ଭସେଇ ଦିଆଯାଇଥିବା ନେଇ ରିପୋର୍ଟର ୨୪ ଘଣ୍ଟା ନ ପୂରୁଣୁ ପୁଣି ଗୁଣି ଗାରେଡ଼ି ଜନିତ ହତ୍ୟାକାଣ୍ଡ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

Related Articles

Back to top button