ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ଗଣଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ କଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଦାୟୀ କରି ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଛନ୍ତି କଂଗ୍ରେସ କର୍ମୀ ।

ପୁରୀ ଜିଲ୍ଲା ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସମ୍ପୃକ୍ତି ଦାବି କରି ମନ୍ତ୍ରୀଙ୍କ ୟୁନିଟ 6 ସ୍ଥିତ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରୀ ସମୀର ଦାଶଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ନଚେତ୍‌ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ଜାରି ରଖିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜ ଚେତାବନୀ ଦେଇଛନ୍ତି । ଶତାଧିକ କଂଗ୍ରେସ କର୍ମୀ ସେଠାରେ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିବା ବେଳେ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଛି ।

ଏନେଇ କଂଗ୍ରେସ ସଭାପତି ୟାସୀର ନୱାଜ କହିଛନ୍ତି ଯେ, ‘‘ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି । ପରି, ମମିତା ମେହେର ଭଳି ଘଟଣା ଚପି ଯାଉଛି । ଏହାପରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କାରଣ ସମୀର ଦାଶ ମନ୍ତ୍ରୀ ପଦରେ ଥିବା ପର୍ଯ୍ୟନ୍ତ ଉଚିତ ତଦନ୍ତ ହୋଇପାରିବନି । ଗଣଶିକ୍ଷା ମନ୍ତ୍ରୀଙ୍କ ଏପରି କାଣ୍ଡର କୁପ୍ରଭାବ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପଡ଼ିବ । ତେଣୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ । ଅଡିଓରେ ପୁରା ସ୍ପଷ୍ଟ ହୋଇଯାଇଛି ଯେ ମୃତ୍ୟୁ ପଛରେ ମନ୍ତ୍ରୀଙ୍କର ହାତ ରହିଛି ।’’

ସୂଚନା ଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୪ ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁପାଳଗଡ ଲକ୍ଷ୍ମୀ ବିହାରସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି । କେଉଁ କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନରେ ଅନେକ ତଥ୍ୟ ରହିଥିବା ସେ ଫେସବୁକର ଶେଷ ପୋଷ୍ଟରେ ଲେଖିଥିଲେ । ଯାହାକୁ ନେଇ ସସପେନ୍ସ ବଢିଥିଲା । ସନ୍ଦେହ ଘେରକୁ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ । ଏହା ପଛରେ ପାରିବାରିକ କଳହ ନାଁ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ କରୁଛି ପୋଲିସ । ଫରେନ୍ସିକ ଲ୍ୟାବକୁ ଧର୍ମେନ୍ଦ୍ରଙ୍କ ଜବତ ହୋଇଥିବା ଦୁଇଟି ଫୋନକୁ ପଠାଯାଇଛି ।

Related Articles

Back to top button