ଅଭିନେତା ମହେଶ ବାବୁଙ୍କ ମାଆ ଇନ୍ଦିରା ଦେବୀଙ୍କ ଦେହାନ୍ତ

ହାଇଦ୍ରାବାଦ: ଟଲିଉଡର ସୁପରଷ୍ଟାର ମହେଶ ବାବୁଙ୍କ ମାଆ ଇନ୍ଦିରା ଦେବୀଙ୍କ ଦେହାନ୍ତ ହୋଇଛି । ଆଜି ସକାଳେ ଅଭିନେତାଙ୍କ ମାଆ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇବା କ୍ଷଣି ମହେଶ ବାବୁ ଓ ବନ୍ଧୁ ପରିଜନ ଯାଇ ତାଙ୍କ ପାଖରେ ପହଞ୍ଚିଥିଲେ । ଇନ୍ଦିରା ଦେବୀଙ୍କ ମୃତଦେହ ପଦ୍ମାଳୟା ଷ୍ଟୁଡିଓରେ ରଖାଯାଇଥିଲା ଏବଂ ଅପରାହ୍ନରେ ମହାପ୍ରସ୍ତାନରେ ତାଙ୍କର ଶେଷକୃତ୍ୟ ସମାପନ ହୋଇଛି।

ଅଳ୍ପ କିଛି ସପ୍ତାହ ହେବ ଅସୁସ୍ଥ ଥିବା ଇନ୍ଦିରା ଦେବୀ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ତାଙ୍କ ପରିବାର ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଇନ୍ଦିରା ଦେବୀଙ୍କର ଆଜି ପ୍ରତ୍ୟୁଷରେ ମୃତ୍ୟୁ ହୋଇଯାଇଛି। ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଆଜି ପୂର୍ବାହ୍ନ ୯ଟାରେ ତାଙ୍କ ମୃତଦେହ ପଦ୍ମାଳୟ ଷ୍ଟୁଡିଓରେ ରଖାଯାଇଥିଲା । ତାଙ୍କର ଶେଷ ଦର୍ଶନ ପାଇଁ ଅନେକ ତାରକା ପହଞ୍ଚିଥିଲେ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ମହେଶ ବାବୁଙ୍କ ମାଆଙ୍କୁ ଶେଷ ବିଦାୟ ଦେବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଲୁହ ଭରା ଆଖିରେ ତାଙ୍କ ମା’ଙ୍କୁ ବିଦାୟ ଦେଉଥିବାର ଦେଖିବାକୁ ମିଳିଛି। ଶେଷ ଦର୍ଶନ ପାଇଁ ବିଜୟ ଦେବେରାକୋଣ୍ଡା, ରାଣା ଦଗ୍ଗୁବତୀ, ନାଗାର୍ଜୁନ, ଆଦିଶେଷ, ସୁକୁମାର, ଗୋପୀଚାନ୍ଦ ଭଳି ତାରକା ପହଞ୍ଚିଥିଲେ। ଅନେକ ସେଲିବ୍ରେଟି ମଧ୍ୟ ଟ୍ବିଟ ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସମବେଦନା ଜଣାଇଛନ୍ତି ।

ଟ୍ୱିଟରରେ ଜଣେ ପ୍ରଶଂସକ ସମବେଦନା ଜଣାଇଛନ୍ତି, ସେ ଲେଖିଛନ୍ତି, “ରେଷ୍ଟ ଇନ୍ ପିସ୍ ଆମ୍ମା, ମହେଶ ବାବୁ ଭଗବାନ ତୁମକୁ ଏ ଦୁଃଖ ସହିବାକୁ ଧୌର୍ଯ୍ୟ ଦିଅନ୍ତୁ ।” ସେହିପରି ଆଉ ଜଣେ ପ୍ରଶଂସକ ନିଜର ଏକ ଟୁଇଟରେ ଲେଖିଛନ୍ତି ଯେ, “ଭଗବାନ ମହେଶ ବାବୁଙ୍କୁ ଏହି ସମୟରେ ଯଥେଷ୍ଟ ଶକ୍ତି ଦିଅନ୍ତୁ, ସବୁବେଳେ ଆପଣଙ୍କ ସହିତ ଆମେ ରହିବୁ ଭାଇ( ଆନ୍ନା) ।”

Related Articles

Back to top button