ଭାରତ-ଆୟରଲାଣ୍ଡ ଟି୨୦ ସିରିଜ୍‌ରେ ୫ ଭାରତୀୟ କ୍ରିକେଟରଙ୍କ ଉପରେ ରହିବ ନଜର

ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ୍ ଦଳ ଆୟରଲାଣ୍ଡ ଗସ୍ତରେ ଅଛି। ଦଳ ଆସନ୍ତା ୨୬ ଓ ୨୮ରେ ଡବଲିନ୍‌ରେ ଘରୋଇ ଦଳ ବିପକ୍ଷରେ ଦୁଇଟି ଟି୨୦ ମ୍ୟାଚ୍‌ ଖେଳିବ। ଏହି ସିରିଜ୍‌ରେ ବିଶେଷ କରି ୫ ଭାରତୀୟ କ୍ରିକେଟର୍‌ଙ୍କ ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ। ଆଗାମୀ ଦିନରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳାଯିବାକୁ ଥିବା ବେଳେ ଯୁବ ଭାରତୀୟ କ୍ରିକେଟର୍‌ମାନେ ଏହି ସିରିଜ୍‌ରେ ଭଲ ପ୍ରଦର୍ଶନ କରିବାକୁ ନିଶ୍ଚିତ ଭାବେ ଚେଷ୍ଟା କରିବେ।

ଦ୍ରୁତ ବୋଲର ଉମରାନ୍‌ ମଲିକ ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦରାବାଦ୍‌ ତରଫରୁ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଘଣ୍ଟାକୁ ୧୫୦ କିମିରୁ ଅଧିକ ଗତିରେ ବୋଲିଂ କରିବାର ଦକ୍ଷତା ତାଙ୍କର ରହିଛି। ସେ ଆଇପିଏଲ୍‌ର ୧୪ଟି ମ୍ୟାଚ୍‌ରୁ ୨୨ଟି ୱିକେଟ୍‌ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍‌ରେ ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ କୌଣସି ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇନଥିଲେ। ତେବେ ଆୟରଲାଣ୍ଡ ବିପକ୍ଷ ସିରିଜ୍‌ରେ ସେ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ଅଲରାଉଣ୍ଡର ଦୀପକ ହୁଡ୍ଡା ଭାରତୀୟ ଦଳ​‌ରେ ସ୍ଥାନ ପାଇଥିଲେ ମଧ୍ୟ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନଥିଲେ। ସେ ପୂର୍ବରୁ ଭାରତ ତରଫରୁ ଶ୍ରୀଲଙ୍କା ବିପକ୍ଷରେ ୩ଟି ଟି୨୦ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ମାତ୍ର ଗୋଟିଏ ମ୍ୟାଚ୍‌ରେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ। ଏଥିରେ ସେ ୨୧ ରନ୍‌ କରିଥିଲେ। ଚଳିତ ଆଇପିଏଲ୍‌ରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ତରଫରୁ ୧୫ଟି ମ୍ୟାଚ୍‌ ଖେଳି ୪୫୧ ରନ୍‌ କରିଛନ୍ତି। ଭାରତୀୟ ଟି୨୦ ଦଳରେ ସ୍ଥାନ ପକ୍କା କରିବାକୁ ହୁଡ୍ଡାଙ୍କୁ ଆୟରଲାଣ୍ଡ ବିପକ୍ଷରେ ବଡ଼ ସ୍କୋର କରିବାକୁ ପଡ଼ିବ।

ବାମହାତୀ ବୋଲର ଅର୍ଶଦୀପ ଚଳିତ ଆଇପିଏଲ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷରେ ୧୪ଟି ମ୍ୟାଚ୍‌ ଖେଳି ୧୦ଟି ୱିକେଟ୍‌ ହାସଲ କରିଥିଲେ। ତେବେ ଟି୨୦ରେ କମ୍‌ ରନ୍‌ ପ୍ରଦାନ କରିବା ତାଙ୍କର ବିଶେଷତା। ଆଇପିଏଲ୍‌ ପ୍ରଦର୍ଶନ ଆଧାରରେ ଅର୍ଶଦୀପ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ତାଙ୍କୁ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିନଥିଲା। ତେବେ ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଅର୍ଶଦୀପ ସୁଯୋଗ ପାଇପାରନ୍ତି।

ବ୍ୟାଟସମ୍ୟାନ ଭେଙ୍କଟେଶ ଭାରତ ପାଇଁ ପୂର୍ବରୁ ୯ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ସେପରି ଆଖିଦୃଶିଆ ପ୍ରଦର୍ଶନ କରିବାରେ ସଫଳ ହୋଇପାରି ନାହାନ୍ତି। ଚଳିତ ଆଇପିଏଲ୍‌ରେ ଭେଙ୍କଟେଶ କଲକାତା ନାଇଟ୍‌ ରାଇଡର୍ସ ତରଫରୁ ୧୨ଟି ମ୍ୟାଚ୍‌ ଖେଳି ୧୮୨ ରନ୍‌ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ଗୋଟିଏ ଅର୍ଦ୍ଧଶତକ ରହିଛି। ତେବେ ବଡ଼ ସଟ୍‌ ମାରିବାରେ ଭେଙ୍କଟେଶ ବେଶ୍‌ ଦକ୍ଷ ଥିବାରୁ ତାଙ୍କୁ ଆୟରଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତୀୟ ଦଳରେ ସ୍ଥାନ ମିଳିଛି। ବ୍ୟାଟିଂ ସହ ମଧ୍ୟଗତିରେ ବୋଲିଂ କରିବା ଦକ୍ଷତା ଭେଙ୍କଟେଶଙ୍କ ନିକଟରେ ରହିଥିବାରୁ ସେ ଆୟରଲାଣ୍ଡ ବିପକ୍ଷରେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

 

ବ୍ୟାଟସମ୍ୟାନ୍‌ ରାହୁଲ ତ୍ରିପାଠୀ ଆଇପିଏଲ୍‌ରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ୨୦୨୨ ଆଇପିଏଲ୍‌ରେ ସେ ୧୪ଟି ମ୍ୟାଚ୍‌ରୁ ୪୧୩ ରନ୍‌ କରିଥିଲେ। ସନରାଇଜର୍ସ ହାଇଦରାବାଦ୍‌ ତରଫରୁ ଖେଳିଥିବା ରାହୁଲ ଘରୋଇ କ୍ରିକେଟ୍‌ରେ ମହାରାଷ୍ଟ୍ର ତରଫରୁ ମଧ୍ୟ ପ୍ରଦର୍ଶନ କରି ଆସୁଛନ୍ତି। ସେ ଆୟରଲାଣ୍ଡ ବିପକ୍ଷ ସିରିଜ୍‌ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି।

Related Articles

Back to top button