ଭାରତ ଏବଂ ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଟି-୨୦ ବର୍ଷା କାରଣରୁ ରଦ୍ଦ, ସିରିଜ ୨-୨ରେ ବରାବର

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ୨-୨ ସହିତ ଡ୍ର ରହିଛି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯାଇଥିବା ପଞ୍ଚମ ତଥା ନିର୍ଣ୍ଣାୟକ ଟି-୨୦ ଉପରେ ସଭିଙ୍କ ନଜର ଥିଲା। ଆଶା କରାଯାଉଥିଲା ମ୍ୟାଚ୍ ହେବ ଏବଂ କୌଣସି ଦଳ ସିରିଜ୍ ଜିତିବ। ହେଲେ ବର୍ଷା ସବୁ ବିଗାଡି ଦେଇଛି। ବର୍ଷାରେ ଧୋଇଗଲା ବେଙ୍ଗାଲୁରୁ ଟି-୨୦। କ୍ରମାଗତ ବର୍ଷା ଲାଗି ରହିବାରୁ ମ୍ୟାଚ୍ ରଦ୍ଦ କରିବାକୁ ପଡିଛି। ଏଥିସହ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ୨-୨ ସହିତ ଡ୍ର ରହିଛି। ଦକ୍ଷିଣ ଆଫ୍ରିକା ଦିଲ୍ଲୀ ଏବଂ କଟକ ଟି-୨୦ ଜିତିଥିବା ବେଳେ ଭାରତ ବିଶାଖାପାଟଣା ଏବଂ ରାଜକୋଟ୍ ଟି-୨୦ ମୁକାବିଲା ଜିତି ସିରିଜକୁ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା।

ବେଙ୍ଗାଲୁରୁରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ବ୍ୟାଟିଂ କରିବାର କିଛି ସମୟ ପରେ ବର୍ଷା ଆରମ୍ଭ ହୋଇଥିଲା। ମ୍ୟାଚ୍‌ରେ କେବଳ ୩.୩ ଓଭର ବଲ୍ ପଡି ପାରିନଥିଲା। ଏହା ପରେ ବର୍ଷା ଲାଗି ରହିଥିଲା। ଭାରତୀୟ ଦଳ ଦୁଇ ଓ୍ଵିକେଟ୍ ହରାଇ ୨୮ ରନ କରିଥିଲା। ଇଶାନ କିଷନ(୧୫) ଏବଂ ଋତୁରାଜ ଗାଏକଓ୍ଵାଡ(୧୦) ଆଉଟ୍ ହୋଇଥିଲେ। ଶ୍ରେସୟ ଆୟର(୦) ଏବଂ ଅଧିନାୟକ ଋଷଭ ପନ୍ତ(୧) ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଙ୍ଗିଡି ୬ ରନ ଦେଇ ୨ଟି ସଫଳତା ପାଇଥିଲେ।

ଆହତ ତେମ୍ବା ବାଭୁମା ଆଜିର ମ୍ୟାଚ୍ ଖେଳି ନାହାନ୍ତି। ତାଙ୍କ ସ୍ଥାନରେ କେଶବ ମହାରାଜ ଦକ୍ଷିଣ ଆଫ୍ରିକାର ନେତୃତ୍ଵ ନେଇଥିଲେ। ବର୍ଷା କାରଣରୁ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ପାରିନଥିଲା। ଟସ୍ ଠିକ୍ ସମୟରେ ପଡିଥିବା ବେଳେ ମ୍ୟାଚ୍ ୭ଟା ପରିବର୍ତ୍ତେ ୭ଟା ୫୦ରେ ଆରମ୍ଭ ହୋଇଥିଲା। ଫଳରେ ଗୋଟିଏ ଲେଖାଏଁ ଓଭର ହ୍ରାସ କରାଯାଇ ୧୯-୧୯ ଓଭର ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ୩.୩ ଓଭର ଖେଳ ସମୟରେ ବର୍ଷା ପୁଣି ଥରେ ଆରମ୍ଭ ହୋଇ ଯାଇଥିଲା। ସ୍ଥିତିରେ କୌଣସି ସୁଧାର ନଆସିବାରୁ ଶେଷରେ ମୁକାବିଲା ରଦ୍ଦ ଘୋଷଣା କରାଯାଇଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ସିରିଜ୍ ଭାଗବଣ୍ଟା କରିଛନ୍ତି।

ଭାରତ: ଇଶାନ କିଷନ, ଋତୁରାଜ ଗାଏକୱାଡ୍‌, ଶ୍ରେୟାସ ଆୟର, ରିଷଭ ପନ୍ତ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଅଭେଶ ଖାନ, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ ।

ଦକ୍ଷିଣ ଆଫ୍ରିକା: କ୍ଵିଣ୍ଟନ ଡିକକ୍, ରିଜା ହେଣ୍ଡରିକ୍ସ, ରାଶି ଭାନ ଡର ଡୁସେନ, ଡେଭିଡ୍‌ ମିଲର, ହେନରିକ କ୍ଲାସେନ, ଟ୍ରିଷ୍ଟନ ଟବ୍ସ, ଡ୍ଵେନ ପ୍ରିଟୋରିୟସ, କେଶବ ମହାରାଜ, ଲୁଙ୍ଗି ଏନଗିଡି, ଅନରିଚ ନର୍ତ୍ତୋଜେ, କାଗିସୋ ରାବଡା।

Related Articles

Back to top button