ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ଜିତିଲେ ମିଶ୍ରିତ ବ୍ୟାଡମିଣ୍ଟନ ଦଳ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଚମକ ଦେଖିବାକୁ ମିଳିଛି । ପଦକ ପରେ ପଦକ ଜିତିବାକୁ ଲାଗିଛନ୍ତି ଭାରତୀୟ କ୍ରୀଡାବିତ । ମିଶ୍ରିତ ବ୍ୟାଡମିଣ୍ଟନରେ ଫାଇନାଲ ମୁକାବିଲା ମାଲେସିଆଠୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛି ଟିମ । ମାଲେସିଆଠୁ ଭାରତ ୩-୧ରେ ପରାସ୍ତ ହୋଇଛି । ଭାରତ ପାଇଁ ମହିଳା ସିଙ୍ଗଲ୍ସରେ ପି.ଭି ସିନ୍ଧୁ ବିଜୟୀ ହୋଇଥିବା ବେଳେ ଅନ୍ୟ ୩ଟି ମ୍ୟାଚରେ ଭାରତ ପରାସ୍ତ ହୋଇଥିଲା । ଫଳରେ ଭାରତ ରୌପ୍ୟରେ ସନ୍ତୁଷ୍ଟ ରହିଛି ।

ପ୍ରଥମ ମ୍ୟାଚ ପୁରୁଷ ଡବଲସ ଥିବାବେଳେ ଭାରତର ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟିଙ୍କୁ ଚିଆ ଓ ସୋ ୨-୦ ଗେମରେ ପରାସ୍ତ କରିଥିଲେ । ୨ୟ ମହିଳା ସିଙ୍ଗଲ୍ସରେ ପି.ଭି ସିନ୍ଧୁ ମାଲେସିଆର ଜିନ ୱେଇ ଗୋଙ୍କୁ ୨-୦ (୨୨-୨୦,୨୧-୧୭) ଗେମରେ ପରାସ୍ତ କରି ସ୍କୋରକୁ ୧-୧ କରିଥିଲେ । ଭାରତକୁ ନିରାଶ କରିଥିଲେ କେ. ଶ୍ରୀକାନ୍ତ । ଅଭିଜ୍ଞ ଖେଳାଳି ଶ୍ରୀକାନ୍ତଙ୍କୁ ମାଲେସିଆର ଜେ ୟଙ୍ଗ ୨-୧ (୨୧-୧୯,୨୧-୮) ଗେମରେ ପରାସ୍ତ କରିଥିଲେ। ଏହାପରେ ମାଲେସିଆ ୨-୧ରେ ଆଗୁଆ ରହିଥିଲା । ପରେ ମହିଳା ଡବଲ୍ସରେ ଗୋପୀଚାନ୍ଦଙ୍କୁ ମାଲେସିଆର ଟାନ ଓ ଥିନା ୨୧-୧୮,୨୧-୧୭ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାତେଇଥିଲେ ।

ଦେଶ ପାଇଁ ସ୍ବର୍ଣ୍ଣ ଜିତିବା ଲକ୍ଷ୍ୟ ରଖିଥିବା ଦଳ ସାମାନ୍ୟ ନିରାଶ ହୋଇଛି । ଶ୍ରୀକାନ୍ତ କହିଛନ୍ତି, ‘‘କିଛି ଜିନିଷ ଆମ ଅନୁସାରେ ହୋଇନଥାଏ । ଆହୁରି ଅଧିକ ଧ୍ୟାନ ଦେବାକୁ ପଡିବ । କଣ ଭୁଲ ରହିଲା ତାହାକୁ ବିଶ୍ଲେଷଣ କରିବ ଏବଂ ସିଙ୍ଗଲ୍ସରେ କଣ ଭଲ ହୋଇପାରିବ ତାହା ଉପରେ ଧ୍ୟାନ ଦେବି ବୋଲି କହିଛନ୍ତି ଶ୍ରୀକାନ୍ତ ।’’ ସେହିପରି ପି.ଭି ସିନ୍ଧୁ କହିଛନ୍ତି,” ସ୍ବର୍ଣ୍ଣ ଜିତି ନପାରିବାରୁ ଦୁଃଖିତ । ଏହା ଆମକୁ ଅଧିକ ଦୃଢ କରିଛି ଆଶା କରୁଛି ବ୍ୟକ୍ତିଗତ ମ୍ୟାଚରେ ସ୍ବର୍ଣ୍ଣ ଜିତିବୁ ।”

ପ୍ରକାଶ ଥାଉ କି, ଭାରତ ପାଖରେ ଏଯାବତ ୧୩ଟି ପଦକ ରହିଛି । ସେଥିରୁ ୫ଟି ସ୍ବର୍ଣ୍ଣ, ୬ଟି ରୌପ୍ୟ ଓ ୨ଟି କାଂସ୍ୟ ରହିଛି । ଏହା ସହ ଭାରତ ଷଷ୍ଠ ସ୍ଥାନରେ ରହିଛି ।

Related Articles

Back to top button