ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨: ୧୦୦ ରନରେ ହାରିଲା ବାର୍‌ବାଡସ୍, ସେମିଫାଇନାଲରେ ଭାରତ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ୨୦୨୨ରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଗୋଟିଏ ପରେ ଗୋଟିଏ ବିଜୟ ହାସଲ କରିଛି ଓମେନ ଇନ ବ୍ଲୁ । ରାଜ୍ୟଗୋଷ୍ଠୀ କ୍ରୀଡ଼ାର କ୍ରିକେଟ ଇଭେଣ୍ଟର ଗ୍ରୁପ୍‌ ମ୍ୟାଚ୍‌ରେ ବୁଧବାର ଅନୁଷ୍ଠିତ ବାରବାଡସ୍ ବିପକ୍ଷରେ ବୃହତ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ୧୦୦ ରନରେ ବାରବାଡସକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ଦଳ ।

ପ୍ରଥମେ ଟସ ଜିତି ବୋଲିଂ କରିବାରୁ ନିଷ୍ପତ୍ତି ନେଇଥିଲା ବାରବାଡସ୍‌ ମହିଳା ଦଳ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଟିମ ପାଳି ଆରମ୍ଭ କରିଥିଲେ । ସ୍ମୃତି ମନ୍ଧାନା ୫ ରନ କରି ଶାନିକା ବ୍ରୁସ ବଲରେ ଆଉଟ ହୋଇଥିଲେ । ଜେମିମା ରୋଡ୍ରିଗ୍ବେଜ ଓ ସେଫାଳି ବର୍ମା ବ୍ୟାଟିଂ ଜାରି ରଖିଥିଲେ । ଦଳୀୟ ସ୍କୋର ୭୬ ରେ ଭାରତର ଆଉ ଏକ ୱିକେଟ ପତନ ହୋଇଥିଲା । ସେଫାଳି ବର୍ମା ୨୬ ବଲରେ ବ୍ୟକ୍ତିଗତ ୪୩ ରନ କରି ରନଆଉଟ ହୋଇଥିଲେ । ଜେମିମା ଓ ସେଫାଳିଙ୍କ ମଧ୍ୟରେ ଏକ ଭଲ ସହଭାଗିଦାରୀ ହୋଇଥିଲା । ପରେ ପରେ ଅଧିନାୟିକା ହରମନପ୍ରୀତ କୌର ଖାତା ଖୋଲି ପାରିନଥିଲେ । ଦଳର ୭୭ ରନ ବେଳକୁ ୩ଟି ୱିକେଟ ପତନ ହୋଇସାରିଥିଲା । ଜେମିମା ରୋଡ୍ରିଗ୍ବେଜ ସ୍ଥିତି ସମ୍ଭାଳି ଖେଳିଥିଲେ। ତାଙ୍କୁ ସାଥ ଦେଉଥିଲା ତାନିୟା ଭାଟ୍ଟିଆ ୬ ରନ କରି ଆଉଟ ଆଉଟ ହୋଇଥିଲେ । ଏହା ପରେ ଜେମିମା ରୋଡ୍ରିଗ୍ବେଜ ଓ ଦିପ୍ତୀ ଶର୍ମା ରନ ଗାଡିକୁ ଆଗକୁ ନେଇଥିଲେ । ଜେମିମା ୪୬ ବଲରେ ସର୍ବାଧିକ ଅପରାଜିତ ଅର୍ଦ୍ଧଶତକ (୫୬) ହାସଲ କରିଥିଲେ । ୨୦ ଓଭରରେ ୪ ୱିକେଟ ହରାଇ ଭାରତ ୧୬୨ ରନ କରିଥିଲା । ବାରବାଡସ୍‌କୁ ୧୬୩ ରନ ଟାର୍ଗେଟ ଦେଇଥିଲା ଭାରତ ।

୧୬୩ ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରଥିଲା ବାରବାଡସ୍ । ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା ଦଳ । ରେଣୁକା ସିଂହଙ୍କ ବୋଲିଂ ଆଗରେ ତିଷ୍ଠି ପାରି ନଥିଲେ ବାରବାଡସ ବ୍ୟାଟର । ୧ ରନରେ ଡେଣ୍ଡ୍ରା ଡୋଟିନ୍ ଖାତା ଖୋଲି ନପାରି ରେଣୁକାଙ୍କ ବଲରେ ଆଉଟ ହୋଇ ସଅଳ ପାଭିଲିୟନ ଫେରିଥିଲେ। ହେଲି ମାଥ୍ୟୁସ୍ ଓ କାଇସିଆ ନାଇଟ୍ ସ୍ଥିତି ସମ୍ଭାଳିଥିଲେ। ଦଳୀୟ ସ୍କୋର ୧୦ ରନରେ ହେଲି ମାଥ୍ୟୁସଙ୍କୁ (୯) ଆଉଟ କରିଥିଲେ ରେଣୁକା ସିଂ। ପରେ ପରେ ପୁଣି କାଇସିଆ ନାଇଟ୍ (୩) ରେଣୁକା ସିଂଙ୍କ ଶିକାର ହୋଇଥିଲେ। ପୁଣି ରେଣୁକା ସିଂଙ୍କ ହାତରେ ଆଉ ଏକ ୱିକେଟ ଲାଗିଥିଲା । ଆଲିୟା ଆଲେନ୍ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ପରେ ପରେ ୧୬ ରନ କରି କାଇସୋନା ନାଇଟ୍ ସ୍ନେହା ରଣାଙ୍କ ଶିକାର ହୋଇଥିଲେ। ଦଳୀୟ ସ୍କୋର ୩୨ରେ ବାରବାଡସ୍ ୫ଟି ୱିକେଟ ହରାଇଥିଲା।

ମେଘନା ସିଂ ତ୍ରିଶାନ୍ ହୋଲ୍ଡରଙ୍କୁ ଆଉଟ କରିଥିଲେ । ବାରବାଡସ୍ ରନ ଗାଡିରେ ବ୍ରେକ ଲାଗିଥିଲା । ଆଲିସା ସ୍କାଣ୍ଟ୍‌ଲେବୁରୀଙ୍କୁ ଆଉଟ କରିଥିଲେ ରାଧା ଯାଦବ । ୨୦ ଓଭରରେ ୮ ୱିକେଟ ହରାଇ ୬୨ ରନ କରିବାକୁ ସକ୍ଷମ ହୋଇଥିଲା ବାରବାଡସ୍। ଫଳରେ ଭାରତ ଏକ ବୃହତ ବିଜୟ ହାସଲ କରିଛି । ଭାରତ ପକ୍ଷରୁ ରେଣୁକା ସିଂ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି ।

ପୂର୍ବ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଭାରତ ଏକ ଦମଦାର ବିଜୟ ହାସଲ କରିଥିଲା । ବାରବାଡସ୍ ବିପକ୍ଷରେ ବିଜୟ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ପୂର୍ବର ଏହି ଗ୍ରୁପରେ ଅଷ୍ଟ୍ରେଲିଆ ୩ଟି ଯାକ ମ୍ୟାଚ ଜିତି ସେମିରେ ସ୍ଥାନ ପକ୍କା କରି ସାରିଛି ।

Related Articles

Back to top button