ପୁଲିସ ବଳର ଆଧୁନିକୀକରଣ ଯୋଜନାରେ ଓଡିଶାକୁ ୧୩.୯୧ କୋଟି ଅନୁମୋଦନ

ଭୁବନେଶ୍ବର: ଭାରତ ସରକାର “ପୁଲିସ ବଳର ଆଧୁନିକୀକରଣ” ଯୋଜନା ଅଧୀନରେ ୧୫ଟି ଉପଯୋଜନା ଅନୁମୋଦନ କରିଛନ୍ତି । ଏଥିପାଇଁ ୨୬,୨୭୫ କୋଟି ବ୍ୟୟ ଅଟକଳ କରାଯାଇଛି । ଏହି ଉପଯୋଜନାମାନ ପାଞ୍ଚ ବର୍ଷ ମଧ୍ୟରେ ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ତ୍ୱରାନ୍ୱିତ ହେବ । ଯୋଜନା ସମୟରେ ଏହାର ବ୍ୟୟବରାଦ ୪ ହଜାର ୮୪୬କୋଟି ଟଙ୍କା ରଖାଯାଇ ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ପିଛା ଆବଣ୍ଟନ ହୋଇଛି ।

ଏହି ସମୟ ମଧ୍ୟରେ ଓଡିଶା ୧୩.୯୧ କୋଟିର ସହାୟତା ପାଇବ । ପୁଲିସ ବଳର ଆଧୁନିକୀକରଣ ବୃହତ ଯୋଜନା ଅଧୀନରେ ଭାରତ ସରକାର ଅପରାଧ ବିଜ୍ଞାନ ସାମର୍ଥ୍ୟ ବୃଦ୍ଧି ପାଇଁ ମଧ୍ୟ ଆଧୁନିକ ଯୋଜନା ରଖିଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ବୈଷୟିକ ଜ୍ଞାନ ଉପଯୋଗ ତଥା ତାଲିମ ମାନବ ସମ୍ବଳ ଓ ପରୀକ୍ଷାଗାରରେ ଅତ୍ୟାଧୁନିକ ବ୍ୟବସ୍ଥା ଜରିଆରେ ସମୟୋଚିତ ତଦନ୍ତ କରିବା ଏହି ଉପଯୋଜନା ସହାୟତାର ଲକ୍ଷ୍ୟ ।

“ପୋଲିସ ବଳର ଆଧୁନିକୀକରଣ” ଭଳି ବୃହତ୍ତ ଯୋଜନା ଅଧୀନରେ ମାଦକଦ୍ରବ୍ୟ ନିୟନ୍ତ୍ରଣ ନିମସ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପ୍ରଦାନ କରାଯାଉଥିବା ସହାୟତା ଯୋଜନା ଅବଧିକୁ ଆଉ ପାଞ୍ଚବର୍ଷ ଅର୍ଥାତ୍‌ ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ବାବଦ ୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଉପଯୋଗ ଓ ସଞ୍ଚୟକୁ ଭିତ୍ତିକରି ଯୋଜନା ବ୍ୟୟବରାଦ ରାଶି ସଂଶୋଧିତ ହେବ । ଗୃହବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାରେ ଏହା ଜଣାଇଛନ୍ତି ।

Related Articles

Back to top button