ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି: ଶୀର୍ଷ ସ୍ଥାନ ଲକ୍ଷ୍ୟରେ ଭାରତ

ଟେବୁଲର ୩ୟ ସ୍ଥାନରେ ଥିବା ଭାରତ ​ଶେଷ ଦୁଇ ମ୍ୟାଚକୁ ଜିତି ଶୀର୍ଷ ସ୍ଥାନ ସହ ଅଭିଯାନ ଶେଷ କରିବା ଲକ୍ଷ୍ୟ ରଖିଛି

ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି ୨୦୨୧-୨୨ ଋତୁରେ ଭାରତୀୟ ପୁରୁଷ ଦଳ ଶେଷ ଦୁଇ ଲିଗ୍‌ ମ୍ୟାଚ ନେଦରଲାଣ୍ଡ୍‌ସ ବିପକ୍ଷରେ ଶନିବାର ଓ ରବିବାର ରୋଟରଡାମରେ ଖେଳିବ। ଟେବୁଲର ୩ୟ ସ୍ଥାନରେ ଥିବା ଭାରତ ​ଶେଷ ଦୁଇ ମ୍ୟାଚକୁ ଜିତି ଶୀର୍ଷ ସ୍ଥାନ ସହ ଅଭିଯାନ ଶେଷ କରିବା ଲକ୍ଷ୍ୟ ରଖିଛି। ଅମିତ ରୋହିଦାସଙ୍କ ନେତୃତ୍ବାଧିନ ଭାରତୀୟ ଦଳ ୧୪ଟି ମ୍ୟାଚରୁ ୮ଟି ବିଜୟ, ୨ଟି ସୁଟ୍‌ଆଉଟ୍‌ ବିଜୟ, ୩ଟି ପରାଜୟ ଓ ଗୋଟିଏ ସୁଟ୍‌ଆଉଟ୍‌ ପରାଜୟ ସହ ୨୯ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନରେ ରହିଛି।
ବେଲଜିୟମ ବିପକ୍ଷ ଶେଷ ଦୁଇ ମ୍ୟାଚରେ ଭାରତ ଆଶାଜନକ ପ୍ରଦର୍ଶନ କରିପାରିନଥିଲା। ପ୍ରଥମ ମ୍ୟାଚକୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ଜିତିଥିବାବେଳେ ଦ୍ବିତୀୟ ମ୍ୟାଚରେ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ନେଦରଲାଣ୍ଡ୍‌ସ ୧୨ଟି ମ୍ୟାଚରୁ ୯ଟି ବିଜୟ, ୨ଟି ସୁଟ୍‌ଆଉଟ୍‌ ବିଜୟ, ଗୋଟିଏ ପରାଜୟ ସହ ୩୧ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ବିଶ୍ବ ଚମ୍ପିଆନ ବେଲଜିୟମ ମଧ୍ୟ ୧୨ଟି ମ୍ୟାଚ ଖେଳି ୯ଟି ବିଜୟ, ଗୋଟିଏ ସୁଟ୍‌ଆଉଟ୍‌ ବିଜୟ, ୨ଟି ସୁଟ୍‌ଆଉଟ୍‌ ପରାଜୟ ସହ ୩୧ ପଏଣ୍ଟ ପାଇ ଟେବୁଲର ୨ୟ ସ୍ଥାନରେ ରହିଛି। ଚମ୍ପିଆନ କିମ୍ବା ରନର୍ସଅପ ହେବାକୁ ହେଲେ ଭାରତକୁ ନେଦରଲାଣ୍ଡ୍‌ସ ବିପକ୍ଷ ଶେଷ ଦୁଇ ମ୍ୟାଚକୁ ଜିତିବାକୁ ପଡିବ। କାରଣ ନେଦରଲାଣ୍ଡ୍‌ସ ଓ ବେଲଜିୟମ ନିକଟରେ ୪ଟି ମ୍ୟାଚ ରହିଥିବାବେଳେ ଭାରତ ନିକଟରେ ଆଉ ମାତ୍ର ୨ଟି ମ୍ୟାଚ ରହିଛି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ନେଦରଲାଣ୍ଡ୍‌ସ ବିପକ୍ଷ ପ୍ରୋ ଲିଗ୍‌ ହକି ମ୍ୟାଚ ଗୁରୁତ୍ବପୂର୍ଣ୍ଣ। ବେଲଜିୟମ ବିପକ୍ଷରେ ଦଳ ଭଲ ପ୍ରଦର୍ଶନ କରିପାରିନଥିଲା । ଉକ୍ତ ତ୍ରୁଟିକୁ ସୁଧାରି ଦଳ ନେଦରଲାଣ୍ଡ୍‌ସ ବିପକ୍ଷରେ ଖେଳିବ ବୋଲି ଅଧିନାୟକ ଅମିତ ରୋହିଦାସ କହିଛନ୍ତି।

Related Articles

Back to top button