ଶ୍ରୀଲଙ୍କାରେ ତୈଳ ସଙ୍କଟ, ସାପ୍ତାହିକ କାର୍ଯ୍ୟଦିବସ ୪କୁ ହ୍ରାସ

ସରକାରୀ ସାପ୍ତାହିକ କାର୍ଯ୍ୟଦିବସ ୪ଦିନକୁ ହ୍ରାସ କରାଯାଇଥିବାବେଳେ ଦେବାଳିଆ ହୋଇଯାଇଥିବା ଶ୍ରୀଲଙ୍କା ସରକାର ତୈଳ ସଙ୍କଟର ମୁକାବିଲା ପାଇଁ ପ୍ରତି ଶୁକ୍ରବାର ଛୁଟି ଘୋଷଣା କରିଛନ୍ତି

ଦେଶର ଆର୍ଥିକ ସଙ୍କଟ ଓ ତୈଳ ଦର ବୃଦ୍ଧି କାରଣରୁ ଶ୍ରୀଲଙ୍କାରେ ସରକାରୀ ସାପ୍ତାହିକ କାର୍ଯ୍ୟଦିବସ ୪ଦିନକୁ ହ୍ରାସ କରାଯାଇଥିବାବେଳେ ଦେବାଳିଆ ହୋଇଯାଇଥିବା ଶ୍ରୀଲଙ୍କା ସରକାର ତୈଳ ସଙ୍କଟର ମୁକାବିଲା ପାଇଁ ପ୍ରତି ଶୁକ୍ରବାର ଛୁଟି ଘୋଷଣା କରିଛନ୍ତି। ଆସନ୍ତା ତିନି ମାସ ପାଇଁ ଏହା କାର୍ଯ୍ୟକାରୀ ହେବ। ସପ୍ତାହାନ୍ତ ଛୁଟି ସହିତ ଏହି ଦିନଟି ଅଧିକ ଛୁଟି ମିଳିବ ବୋଲି କ୍ୟାବିନେଟ୍‌ରେ ନିଷ୍ପତ୍ତି ଗୃହୀତ ହୋଇଛି। ଏହାଦ୍ବାରା ଦେଶରେ ସାପ୍ତାହିକ କାର୍ଯ୍ୟଦିବସ ୪ ଦିନ ହୋଇଛି। ଦେଶର ତୈଳ ଭଣ୍ଡାର ଶୂନ୍ୟ ପଡିଥିବାବେଳେ ବିଦେଶରୁ ଆମଦାନୀ କରିବା ସ୍ଥିତିରେ ନାହାନ୍ତି ସରକାର। ଛୁଟି ଦ୍ବାରା ତୈଳ ସଞ୍ଚୟ ହୋଇପାରିବ ବୋଲି ଚିନ୍ତା କରାଯାଉଛି। ଦୁଇ ଦିନ ପୂର୍ବେ ସରକାର କର୍ମଚାରୀଙ୍କୁ ଖାଦ୍ୟ ସଙ୍କଟ ଦୂର ପାଇଁ ଚାଷ କରି ଫସଲ ଉତ୍ପାଦନ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ଛୁଟି ଦିନକୁ କୃଷି କାର୍ଯ୍ୟରେ ଉପଯୋଗ କରିବାକୁ ସରକାର କହିଥିଲେ। ଅପରପକ୍ଷରେ ଶ୍ରୀଲଙ୍କା ସରକାର ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ନିକଟରେ ଆର୍ଥିକ ପ୍ୟାକେଜ ପାଇଁ ଆବେଦନ କରିଛନ୍ତି। ଜୁନ୍‌ ୨୦ରେ ମୁଦ୍ରା ପାଣ୍ଠିର ଏକ ପ୍ରତିନିଧି ଦଳ କଲମ୍ବୋ ଆସି ଏ ସମ୍ପର୍କରେ ବିଚାରବିମର୍ଶ କରିବେ। ଆମେରିକା ମଧ୍ୟ ଶ୍ରୀଲଙ୍କାକୁ ସହାୟତା ପାଇଁ ଘୋଷଣା କରିଛି।

Related Articles

Back to top button