ଦିନିକିଆରେ ଇଂଲଣ୍ଡର ସର୍ବାଧିକ ସ୍କୋର

୫୦ ଓଭରରେ ୪୯୮ ରନ୍‌

ଘରୋଇ ନେଦରଲାଣ୍ଡ୍‌ସ ବିପକ୍ଷ ଶୁକ୍ରବାର ଖେଳାଯାଇଥିବା ଦିନିକିଆ ମ୍ୟାଚ୍‌ରେ ସର୍ବାଧିକ ସ୍କୋର କରି ବିଶ୍ବରେକର୍ଡ କରିଛି ଇଂଲଣ୍ଡ ଦଳ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍‌ ହରାଇ ୪୯୮ ରନ୍‌ ସଂଗ୍ରହ କରି ନୂଆ ବିଶ୍ବରେକର୍ଡ କରିଛି। ଏହି କ୍ରମରେ ଇଂଲଣ୍ଡ ଦଳ ନିଜର ପୂର୍ବ ରେକର୍ଡକୁ ଭାଙ୍ଗିଛି। ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଇଂଲଣ୍ଡ ଦଳ ୪୮୧ ରନ୍‌ କରି ବିଶ୍ବରେକର୍ଡ କରିଥିଲା।

ଶୁକ୍ରବାର ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡ ଦଳ ତରଫରୁ ଡାୱିଡ୍‌ ମାଲାନ୍‌, ଜସ୍‌ ବଟଲର ଓ ଫିଲ୍‌ ସଲ୍ଟ ଶତକ ହାସଲ କରିଥିବା ବେଳେ ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ ଇଂଲଣ୍ଡ କ୍ରିକେଟ୍‌ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ। ଓପନର୍‌ ଜେସନ୍‌ ରୟ ମାତ୍ର ୧ ରନ୍ କରି ଆଉଟ୍‌ ହେବା ପରେ ମାଲାନ୍ ଓ ସଲ୍‌ଟଙ୍କ ମଧ୍ୟରେ ୨୨୨ ରନ୍‌ର ଭାଗିଦାରୀ ହୋଇଥିଲା। ସଲ୍‌ଟ ୯୩ଟି ବଲ୍‌ରୁ ୧୪ଟି ଚୌକା ଓ ୩ଟି ଛକା ସହାୟତାରେ ୧୨୨ ଓ ମାଲାନ୍‌ ୧୦୯ଟି ବଲ୍‌ରୁ ୯ଟି ଚୌକା ଓ ୩ଟି ଛକା ସହାୟତାରେ ୧୨୫ ରନ୍‌ କରି ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ବ୍ୟାଟସମ୍ୟାନ୍‌ ଜସ୍‌ ବଟଲର ମାତ୍ର ୭୦ଟି ବଲ୍‌ରୁ ୭ଟି ଚୌକା ଓ ୧୪ଟି ଛକା ସହାୟତାରେ ଅପରାଜିତ ୧୬୨ ଓ ଲିଭିଙ୍ଗଷ୍ଟୋନ୍‌ ୨୨ଟି ବଲ୍‌ରୁ ୬ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୬୬ ରନ୍‌ କରି ଅପରାଜିତ ରହିଥିଲେ।

Related Articles

Back to top button