ରାଜ୍ୟ ଗୋଷ୍ଠୀ କ୍ରୀଡ଼ା: ମହିଳା କ୍ରିକେଟରେ ଭାରତର ବଡ଼ ବିଜୟ, ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ: ରାଜ୍ୟ ଗୋଷ୍ଠୀ କ୍ରୀଡ଼ା: ମହିଳା କ୍ରିକେଟରେ ଭାରତର ବଡ଼ ବିଜୟ। ଟି-୨୦ରେ ପାକିସ୍ତାନକୁ ୮ ୱିକେଟରେ ହରାଇଲା ଭାରତ। ୧୧.୪ ଓଭରରେ ୨ ୱିକେଟରେ ୧୦୨ ରନ କରି ଜିତିଲା ଭାରତ। ପ୍ରଥମ ମ୍ୟାଚରେ ପରାଜିତ ଭାରତ ଦ୍ବିତୀୟ ମ୍ୟାଚ ଜିତି୨ ପଏଣ୍ଟ ପାଇଲା।
ରବିବାର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନ୍ତର୍ଗତ ଖେଳାଯାଉଥିବା ମହିଳା କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି। ବର୍ମିଂହାମରେ ପାକିସ୍ତାନକୁ ଭାରତ ୮ ୱିକେଟ୍‌ରେ ପରାସ୍ତ କରିଛି। ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକ ବଳରେ ୧୧.୪ ଓଭରରେ ୨ଟି ୱିକେଟ ହରାଇ ଭାରତ ୧୦୨ ରନ୍‌ ସଂଗ୍ରହ କରିଛି। ବର୍ଷା ବାଧିତ ମ୍ୟାଚକୁ ଉଭୟ ପାର୍ଶ୍ବରୁ ୧୮ ଓଭର ଲେଖାଏଁ କରିଦିଆଯାଇଥିଲା। ଟସ୍‌ ଜିଣି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ନିର୍ଦ୍ଧାରିତ ୧୮ ଓଭରରେ ସମସ୍ତ ୱିକେଟ୍‌ ହରାଇ ୯୯ ରନ୍‌ ସଂଗ୍ରହ କରିବା ପରେ ଭାରତକୁ ୧୦୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଭାରତର ପାଳି ଆରମ୍ଭ କରିଥିଲେ ସେଫାଳି ବର୍ମା ଓ ସ୍ମୃତି ମନ୍ଧାନା। ଉଭୟ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୬୧ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ଏଥିରେ ସେଫାଳି ବର୍ମାଙ୍କ ବ୍ୟକ୍ତିଗତ ସ୍କୋର ୧୬ ରନ୍‌ ଥିଲା। ସେ ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଭାରତ ୨ୟ ୱିକେଟ ଭାବେ ସବଭିନେଇ ମେଘନାଙ୍କୁ ହରାଇଥିଲା। ମେଘନା ୧୬ଟି ବଲରେ ୨ଟି ଚୌକା ବଳରେ ୧୪ ରନ୍‌ ସଂଗ୍ରହ କରିଥିଲେ। ସ୍ମୃତି ମନ୍ଧାନା ୪୨ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ଅପରାଜିତ ୬୩ ରନ୍‌ କରିଥିଲେ। ଏଥିରେ ୮ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଜେମିମା ରୋଡ୍ରିଗଜ୍‌ ୩ଟି ବଲ୍‌ ଖେଳି ଅପରାଜିତ ୨ ରନ୍‌ ସଂଗ୍ରହ କରିଥିଲେ।
ପ୍ରଥମ ପାଳିରେ ପାକିସ୍ତାନ ବିନା ରନ୍‌ରେ ପ୍ରଥମ ୱିକେଟ ହରାଇଥିଲା। କିନ୍ତୁ ଦ୍ବିତୀୟ ୱିକେଟରେ ମୁବିନା ଓ ବିସମା ମାରୁଫ ୫୦ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ମାତ୍ର ସ୍କୋର ୫୧ ରନ୍‌ ବେଳକୁ ପାକିସ୍ତାନ ୩ୟ ୱିକେଟ ହରାଇଥିଲା। ଭାରତୀୟ ବୋଲର ମେଘନା ସିଂହଙ୍କୁ ସଠିକ ଭାବେ ସାମ୍ନା କରି ପାରି ନଥିଲେ ଇରାମ ଜାଭେଦ। ସେ ୩ଟି ବଲ୍‌ ସାମ୍ନା କରିଥିଲେ ଓ କୌଣସି ରନ୍‌ ସଂଗ୍ରହ ନ କରି ପାଭଲିଅନ ଫେରି ଯାଇଥିଲେ। ବିସମା ୧୯ଟି ବଲ୍‌ ଖେଳି ୧୭ ରନ୍‌ କରିଥିଲେ। ସେହିପରି ଓପନର ମୁବିନା ୩୦ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୨ ରନ୍‌ ସଂଗ୍ରହ କରିଥିଲେ।

Related Articles

Back to top button