ଏସିଆ କପ୍‌ର ରୋମାଞ୍ଚକର ମ୍ୟାଚ୍‌ରେ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇଲା ଭାରତ

ଦୁବାଇ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଦମରେ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ଭାରତ। ହୃଦସ୍ପନ୍ଦନ ବଢାଇ ଦେଉଥିବା ଏସିଆ କପ୍‌ର ଦ୍ଵିତୀୟ ମୁକାବିଲାରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ  ହରାଇଛି। ଏଥି ସହିତ ଭାରତ ଟି-୨୦ ବିଶ୍ଵ କପ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ବିଜୟ ସହ ଏସିଆ କପ୍‌ ଅଭିଯାନ ଆରମ୍ଭ କରିଛି ଭାରତ। ପାକିସ୍ତାନ ଦ୍ଵାରା ନିର୍ଦ୍ଧାରିତ ୧୪୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୯.୪ ଓଭରରେ ୫ ଓ୍ଵିକେଟ୍‌ ହରାଇ ବହୁ କଷ୍ଟରେ ହାସଲ କରିଛି। ରବୀନ୍ଦ୍ର ଜାଡେଜା(୩୫ ରନ) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା( ୧୭ ବଲ୍‌ରୁ ୩୩ ରନ)ଙ୍କ ଅପରାଜିତ ଅବିଶ୍ଵସନୀୟ ବ୍ୟାଟିଂ ବଳରେ ଭାରତ  ବିଜୟ ହାସଲ କରିଛି। ପାଣ୍ଡ୍ୟା ବିଜୟ ସୂଚକ ଛକା ମାରି ୧୩୦ କୋଟି କୋଟି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ଆତ୍ମହରା କରିଛନ୍ତି।  ବିରାଟ କୋହଲି ୩୫ ରନ କରିଛନ୍ତି। ବୋଲିଂରେ ପାଣ୍ଡ୍ୟା ୨୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ପାଣ୍ଡ୍ୟା ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

୧୪୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ପ୍ରଥମ ଓଭରରୁ ଝଟକା ଲାଗିଥିଲା। ଆହତ ସମସ୍ୟାରୁ ମୁକୁଳିଥିବା ଲୋକେଶ ରାହୁଲ ପ୍ରଥମ ବଲ୍‌ରେ ଆଉଟ୍  ହୋଇଥିଲେ। ଏହା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଦ୍ଵିତୀୟ ଓ୍ଵିକେଟ୍‌ରେ ୪୯ ରନ ଯୋଡିଥିଲେ। ଦଳୀୟ ସ୍କୋର ୫୦ ରନରେ ରୋହିତ ଶର୍ମା(୧୨) ଆଉଟ୍  ହେବା ଭାରତକୁ ବଡ ଝଟକା ଲାଗିଥିଲା। ଦୀର୍ଘ ସମୟ ଧରି ଫର୍ମରେ ନଥିବା ବିରାଟ କୋହଲି ଭଲ ବ୍ୟାଟିଂ କରିଥିଲେ। ତେବେ କୋହଲି ବଡ ସର୍ଟ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ। ସେ ୩୪ ବଲ୍‌ରୁ ୩ ଚୌକା ଏବଂ ୧ ଛକା ସହ  ୩୫ ରନ କରିଥିଲେ।

ଏହା ପରେ ସୂର୍ଯ୍ୟକୁମାର ଯାଦବ ଏବଂ ରବୀନ୍ଦ୍ର ଜାଡେଜା ଦଳର ସ୍କୋରକୁ ଆଗେଇ ନେଇଥିଲେ। ଦୁଇ ବ୍ୟାଟସମ୍ୟାନ ୩୬ ରନ ଯୋଡିଥିଲେ। ତେବେ ୮୯ ରନ ସ୍କୋରରେ ସୂର୍ଯ୍ୟକୁମାର ଯାଦବ(୧୮) ଆଉଟ୍ ହେବା ଭାରତକୁ ବହୁତ ବଡ ଝଟକା ଲାଗିଥିଲା। ତେବେ ଜାଡେଜା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଇନିଂସ ସମ୍ଭାଳିଥିଲେ। ପ୍ରତିଟି ରନ ପାଇଁ ଭାରତକୁ ସଂଘର୍ଷ କରିବାକୁ ପଡିଥିଲା। ପାକିସ୍ତାନ ବୋଲର ମାପଚୁପ ବୋଲିଂ କରି ଭାରତର ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ। ପ୍ରତିକୂଳ ସ୍ଥିତିରେ ଜାଡେଜା ଏବଂ ପାଣ୍ଡ୍ୟା ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳି ପଞ୍ଚମ ଓ୍ଵିକେଟରେ ୫୨ ରନଯୋଡି ଭାରତକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ଜାଡେଜା ଦମଦାର ବ୍ୟାଟିଂ କରି ୩୫ ରନ କରିଥିଲେ। ବୋଲିଂରେ ୩ ଓ୍ଵିକେଟ୍ ନେଇଥିବା ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୭ ବଲ୍‌ରୁ ୪ ଚୌକା ଏବଂ ୧ ଛକା ସହ ୩୩ ରନ କରି ଦଳକୁ ସ୍ମରଣୀୟ ବିଜୟ ଦେଇଛନ୍ତି। ଭାରତ ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ  ହାସଲ କରି ନେଇଛି। ପାଣ୍ଡ୍ୟା ବିଜୟ ସୂଚକ ଛକା ମାରି ଦଳକୁ ବିଜୟୀ କରାଇଛନ୍ତି।

ପାକିସ୍ତାନ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନର ଆରମ୍ଭ ନିରାଶଜନକ ଥିଲା। ଅଧିନାୟକ ବାବର ଆଜମ(୧୦)ଙ୍କୁ ଆଉଟ୍ କରି ଭୁବନେଶ୍ଵର କୁମାର ଭାରତକୁ ବଡ ସଫଳତା ଦେଇଥିଲେ। ଏହା ପରେ ମହମ୍ମଦ ରିଜଓ୍ଵାନ ଏବଂ ଫକର ଜମାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୨୭ ରନ ଯୋଡିଥିଲେ। ଦଳୀୟ ସ୍କୋର ୪୨ ରନରେ ଫକର ଜମାନ(୧୦)ଙ୍କୁ ଅଭେଶ ଖାନ ଆଉଟ୍ କରିଥିଲେ। ରିଜଓ୍ଵାନ ଏବଂ ଇଫତିକାର ଅହମ୍ମଦ ଭଲ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରେ ୪୫ ରନ ଯୋଡିଥିଲେ। ଇଫତିକାରଙ୍କୁ ଆଉଟ୍ କରି ଏହି ଯୋଡି ଭାଙ୍ଗି ଭାରତକୁ ତୃତୀୟ ସଫଳତା ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଇଫତିକାର ୨୨ ବଲରୁ ୨୮ ରନ କରି ପାଭିଲିୟନ ଫେରିଥିଲେ।

ତେବେ ୧୫ତମ ଓଭରରେ ପାକିସ୍ତାନକୁ ଲାଗ ଲାଗ ଦୁଇଟି ଝଟକା ଲାଗିଥିଲା।  କ୍ରିଜରେ ଜମି ରହି ଇନିଂସ ସମ୍ଭାଳିଥିବା ମହମ୍ମଦ ରିଜଓ୍ଵାନଙ୍କୁ ଆଉଟ୍ କରି ପାକିସ୍ତାନକୁ ବଡ ଝଟକା ଦେଇଛନ୍ତି ପାଣ୍ଡ୍ୟା। ରିଜଓ୍ଵାନ ୪୨ ବଲ୍‌ରୁ ୪ ଚୌକା ଏବଂ ୧ ଛକା ସହ ୪୩ ରନ କରିଥିଲେ। ରିଜଓ୍ଵାନଙ୍କ ଆଉଟ୍ ପରେ ନିମ୍ନ କ୍ରମରେ ପାକିସ୍ତାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ପୁଣି ଉକ୍ତ ଓଭରରେ ଖୁସଦିଲ ଶାହ(୨) ପାଣ୍ଡ୍ୟାଙ୍କ ତୃତୀୟ ଶିକାର ହୋଇଥିଲେ। ଆସିଫ ଅଲ୍ଲୀ(୯) ଭୁବନେଶ୍ଵରଙ୍କ ଶିକାର ହୋଇଥିଲେ। ମହମ୍ମଦ ନଓ୍ଵାଜ(୧)ଙ୍କୁ ଅର୍ଶଦୀପ ପାଭିଲିୟନ ପଠାଇଥିଲେ। ୧୯ ତମ ଓଭରରେ ଭୁବନେଶ୍ଵର କୁମାର ଲଗାତାର ଦୁଇଟି ବଲ୍‌ରେ  ଶାଦବ ଖାନ(୧୦) ଏବଂ ନସୀମ ଶାହ(୦)ଙ୍କୁ ଆଉଟ୍ କରି ହ୍ୟାଟ୍ରିକ ସୃଷ୍ଟି କରିଥିଲେ। ଶେଷରେ ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୧୪୭ ରନରେ ଅଲଆଉଟ୍ ହୋଇଛି। ହାରିସ ରଉଫ ୧୩ ରନ କରି  ଅପରାଜିତ ଥିଲେ। ଶାହାନଓ୍ଵାଜ ଦହାନି ୬ ବଲରୁ ୧୬ ରନ କରି ଅର୍ଶଦୀପ ସିଂହଙ୍କ ବଲରେ ଆଉଟ୍ ହୋଇଥିଲେ।

Related Articles

Back to top button