
ଇନ୍ଷ୍ଟାଗ୍ରାମରୁ ଚେନ୍ନାଇ ସୁପର କିଙ୍ଗ୍ସର ପୋଷ୍ଟକୁ ହଟାଇଲେ ଜାଡେଜା
ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରୁ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୧-୨୦୨୨ର ସମସ୍ତ ପୋଷ୍ଟକୁ ହଟେଇ ଦେଇଛନ୍ତି। ଯାହାକୁ ନେଇ ଜାଡେଜା ଚେନ୍ନାଇ ଛାଡିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ବାର୍ତ୍ତା ଭାଇରାଲ ହେବାରେ ଲାଗିଛି।
ମିଳିଥିବା ସୂଚନା ମୁତାବକ, ଆଇପିଏଲ୍ ୨୦୨୨ରେ ଜାଡେଜାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ କରାଯାଇଥିଲା। ହେଲେ ତାଙ୍କ ନେତୃତ୍ୱରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ତାଙ୍କ ନେତୃତ୍ୱରେ ଦଳ ୮ ମ୍ୟାଚ୍ରୁ ୬ଟି ମ୍ୟାଚରେ ପରାଜୟ ସ୍ବୀକାର କରିଥିଲା। ପରେ ଜାଡେଜା ଅଧିନାୟକ ପଦ ଛାଡିଥିଲେ । ପରବର୍ତ୍ତୀ ସମୟରେ ଧୋନିି ଅଧିନାୟକ ମଙ୍ଗ ଧରିଥିଲେ। ଦଳର ଖରାପ ପ୍ରଦର୍ଶନ ଲାଗି ଚଳିତ ସିଜନ୍ରେ ଚେନ୍ନାଇ ପ୍ଲେଅଫ୍ରେ ପହଞ୍ଚି ପାରି ନ ଥିଲା।
ଅନ୍ୟପକ୍ଷେ ଆହତ ସମସ୍ୟା ଲାଗି ଆଇପିଏଲ ୨୦୨୨ର ବାକି ମ୍ୟାଚରୁ ବାଦ୍ ପଡିଥିଲେ ଜାଡେଜା। ବର୍ତ୍ତମାନ ଜାଡେଜା ଇନ୍ଷ୍ଟାଗ୍ରାମ୍ରୁ ଫଟୋ ହଠାଇବା ନିଷ୍ପତ୍ତି, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଆଗାମୀ ଦିନରେ ଜାଡେଜା ଚେନ୍ନାଇ ସହିତ ସମ୍ପର୍କ ଛିନ୍ନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।