ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ବୁମ୍‌ରା

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ଜଶପ୍ରୀତ ବୁମ୍‌ରା ଆଇସିସି ମାନ୍ୟତାରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି।  ଇଂଲଣ୍ଡ ବିପକ୍ଷରେ ୧୯ ରନ ଦେଇ ସେ ୬ଟି ଉଇକେଟ ନେଇଥିଲେ। ସେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ଅତିକ୍ରମ କରି ଦିନିକିଆ ବୋଲର ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ବୁମରା ପାଞ୍ଚଟି ସ୍ଥାନ ହାସଲ କରିଛନ୍ତି।
ଟି-୨୦ ସିରିଜର ଶେଷ ମ୍ୟାଚରେ ଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ବ୍ୟାଟ୍ସମ୍ୟାନ ମାନ୍ୟତାରେ ପଞ୍ଚମ ସ୍ଥାନକୁ ଆସିଛନ୍ତି। ଟି-୨୦ର ଶ୍ରେଷ୍ଠ ୧୦ରେ ଭୁବନେଶ୍ୱର କୁମାର ଏକମାତ୍ର ଭାରତୀୟ ବୋଲର ଭାବେ ଅଛନ୍ତି।
ବୋଲରଙ୍କ ଦିନିକିଆ ମାନ୍ୟତାରେ ବୁମରା ପ୍ରଥମ ସ୍ଥାନ ପରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ପାକିସ୍ତାନର ଶାହିନ ଆଫ୍ରିଦି ତୃତୀୟ ଏବଂ ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ଆଫଗାନିସ୍ତାନର ମୁଜିବ ଉର ରହମାନ ପଞ୍ଚମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷରେ ତିନୋଟି ଉଇକେଟ ନେଇଥିବା ମହମ୍ମଦ ଶାମି ୨୩ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।
ବ୍ୟାଟ୍ସମ୍ୟାନ ମାନ୍ୟତାରେ ବିରାଟ କୋହଲି ଚତୁର୍ଥ ସ୍ଥାନରେ ଅଛନ୍ତି ଏବଂ ରୋହିତ ଶର୍ମା ପଞ୍ଚମ ସ୍ଥାନରେ ରହିଛନ୍ତି। ରୋହିତ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୭୬ ରନ କରିଥିଲେ ମଧ୍ୟ ତାଙ୍କ ର଼୍ୟାଙ୍କିଙ୍ଗରେ ପରିବର୍ତ୍ତନ ହୋଇନାହିଁ। ଏବେ ସେ ବାକି ସିରିଜରେ ଭଲ ପ୍ରଦର୍ଶନ କରି ବିରାଟଙ୍କୁ ପଛରେ ପକାଇବାର ସୁଯୋଗ ପାଇବେ। ଇଂଲଣ୍ଡ ବିପକ୍ଷରେ ୩୧ ରନ କରି ଥିବା ଶିଖର ଧାୱନ ଦ୍ୱାଦଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

Related Articles

Back to top button