
କଲ୍ୟାଣ ଚୌବେ ଭାରତୀୟ ଫୁଟବଲ ମହାସଂଘର ନୂଆ ଅଧ୍ୟକ୍ଷ
ନୂଆଦିଲ୍ଲୀ: ଭାରତର ଷ୍ଟାର ଫୁଟବଲ ଖେଳାଳି ତଥା ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କୁ ହରାଇ କଲ୍ୟାଣ ଚୌବେ ଅଖିଳ ଭାରତୀୟ ଫୁଟବଲ ମହାସଂଘର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଏହାସହ ଅଖିଳ ଭାରତୀୟ ଫୁଟବଲ ମହାସଂଘର ୮୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ କୌଣସି ପୂର୍ବତନ ଖେଳାଳି ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ଗୋଲକିପର ୪୫ ବର୍ଷୀୟ ଚୌବେ ୩୩-୧ରେ ବାଇଚୁଙ୍ଗ ଭୂତିଆଙ୍କୁ ପରାସ୍ତ କରିଛନ୍ତି।
ଶୁକ୍ରବାର ନୂଆଦିଲ୍ଲୀରେ ହୋଇଥିବା ମତଦାନରେ ପୂର୍ବତନ ଗୋଲକିପର ତଥା ପଶ୍ଚିମବଙ୍ଗର ବିଜେପି ନେତା କଲ୍ୟାଣ ଚୌବେ ବଡ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହାସହ ଏନଏ ହାରିସ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ହାରିସ କର୍ଣ୍ଣାଟକ ଫୁଟବଲ ସଂଘର ଅଧ୍ୟକ୍ଷ ଏବଂ ରାଜ୍ୟରେ କଂଗ୍ରେସ ବିଧାୟକ ଅଛନ୍ତି । ଭାରତ ୩୬ ରାଜ୍ୟ ଫୁଟବଲ ସଂଘରୁ କେବଳ ୩୪ ସଂଘ ନିର୍ବାଚନରେ ଭାଗ ନେଇଥିଲେ। ଲଦ୍ଦାଖ ଏବଂ ଜାମ୍ମୁ କାଶ୍ମୀରକୁ ମତଦାନ ପାଇଁ ଅନୁମତ ଦିଆଯାଇ ନଥିଲା।
ସିକ୍କିମ ସ୍ନାଇପର ନାଁରେ ପରିଚିତ ୪୫ ବର୍ଷୀୟ ଭୂତିଆଙ୍କ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ତାଙ୍କ ରାଜ୍ୟ ସଂଘର ପ୍ରତିନିଧି ପ୍ରସ୍ତାବକ ହେବାକୁ ରୁଚି ଦେଖାଇ ନଥିଲେ। ଆନ୍ଧ୍ର ଫୁଟବଲ ସଂଘ ଭୂତିଆଙ୍କ ନାଁରେ ପ୍ରସ୍ତାବ ଦେଇଥିଲା। ରାଜସ୍ଥାନ ଫୁଟବସ ସଂଘ ଏହାର ଅନୁମୋଦନ କରିଥିଲା । ଭୂତିଆ ଏହା ପୂର୍ବରୁ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ସେହି ସମୟରେ ତାଙ୍କ ପୂର୍ବତନ ସାଥୀ ଖେଳାଳି ଦୀପକ ମଣ୍ଡଳ ତାଙ୍କ ନାଁରେ ପ୍ରସ୍ତାବ ଦେଇଥିଲେ, ପୂର୍ବତନ ମହିଳା ଫୁଟବଲର ମଧୁ କୁମାର ଏହାର ଅନୁମୋଦନ କରିଥିଲେ। ତେବେ ନିର୍ବାଚନରେ ଭୂତିଆ ପରାଜିତ ହୋଇଥିଲେ।
ପଶ୍ଚିମବଙ୍ଗର କୃଷ୍ଣାନଗରରୁ ଆସନରୁ ଗତ ସାଧାରଣ ନିର୍ବାଚନରେ ପରାଜିତ ବିଜେପି ନେତା ଚୌବେ କେବେ ଭାରତୀୟ ସିନିୟର ଟିମ ପାଇଁ ଖେଳି ନାହାନ୍ତି । ତେବେ କିଛି ସମୟ ଧରି ସେ ଟିମର ସଦସ୍ୟ ଥିଲେ। ଜୁନିୟର ସ୍ତରରେ ଅନେକ ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ସେ ମୋହନ ୱାଗାନ ଏବଂ ଇଷ୍ଟ ବେଙ୍ଗଲ ପାଇଁ ଗୋଲକିପର ରହିଥିଲେ। ଇଷ୍ଟ ବେଙ୍ଗଲ ପାଇଁ ଭୂତିଆ ଏବଂ ଚୌବେ ଦୁହେଁ ସାଥୀ ଖେଳାଳି ଭାବେ ଖେଳିଥିଲେ।