ଟି୨୦ ବିଶ୍ୱକପ୍ ପୂର୍ବରୁ ଇସ୍ତଫା ଦେଲେ ଦକ୍ଷିଣ ଆଫ୍ରିକା ଟିମ ମୁଖ୍ୟ କୋଚ୍

ଆସନ୍ତା ମାସରେ ଖେଳାଯିବ ଟି୨୦ ବିଶ୍ୱକପ୍ । ଯେଉଁଥି ପାଇଁ ସବୁ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି । ତେବେ ଟି୨୦ ବିଶ୍ୱକପର ଠିକ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମକୁ ଏକ ବଡ ଝଟକା ଲାଗିଛି । ଏହି ଝଟକା ମୁଖ୍ୟ କୋଚ୍ ମାର୍କ ବାଉଚର ଦେଇଛନ୍ତି ।  ପୂର୍ବତନ କ୍ରିକେଟର ନିଜ ପଦରୁ ଇସ୍ତଫା ପ୍ରଦାନ କରିବେ ବୋଲି କହିଛନ୍ତି ।

ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡ ଗସ୍ତରେ ତିନି ଟିକିଆ ଟେଷ୍ଟ୍ ସିରିଜକୁ ୨-୧ରେ ପରାସ୍ତ ହୋଇଛି । ଏବେ ଦଳ ବିଶ୍ୱକପ ପାଇଁ ପ୍ରସ୍ତୁତ ହେବ । ଏବେସୁଦ୍ଧା ଦକ୍ଷିଣ ଆଫ୍ରିକା ଥରଟିଏ ହେଲେ ବିଶ୍ୱକପ ଚାମ୍ପିଅନ ହୋଇନାହିଁ ।

ବାଉଚରଙ୍କ ଇସ୍ତଫା ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ବୋର୍ଡ ବାଉଚରଙ୍କ ଫଟୋ ସେୟର କରି କହିଛି ଯେ, ମୁଖ୍ୟ କୋଚ୍ ମାର୍କ ବାଉଚର ଆସନ୍ତା ମାସରେ ହେବାକୁ ଥିବା ଟି୨୦ ବିଶ୍ୱକପ ପରେ ପଦ ଛାଡିବେ ।

ବୋର୍ଡ ନିଜ ବୟାନରେ ଆହୁରି କହିଛି ଯେ, ବାଉଚର ଅନ୍ୟ ଭଲ ସୁଯୋଗ ଓ ବ୍ୟକ୍ତିଗତ କାରଣ ପାଇଁ ପଦରୁ ଇସ୍ତଫା ଦେଇଛନ୍ତି । କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଏଖବର ପରେ ଦୁଃଖିତ ଅଛି । ବୋର୍ଡ ଏହି ନିଷ୍ପତ୍ତିକୁ ସମ୍ମାନ କରୁଛି । ଭବିଷ୍ୟତ ପାଇଁ ବାଉଚରଙ୍କୁ ଅନେକ ଅନେକ ଶୁଭକାମନା ।

ସୂଚନାଯୋଗ୍ୟ, ମାର୍କ ବାଉଚର ୨୦୧୯ରେ ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ କୋଚ୍ ପଦବୀ ସମ୍ଭାଳିଥିଲେ । ତାଙ୍କ କୋଚିଂରେ ଦଳ ଏବେସୁଦ୍ଧା ୧୦ଟି ଟେଷ୍ଟ୍ ଜିତିଛି । ସେହିପରି ୨୩ଟି ଟି୨୦ ଓ ୧୨ ଦିନିକିଆ ମ୍ୟାଚ୍ ଜିତିଛି ।ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ଟିମ୍ ଭାରତକୁ ଟେଷ୍ଟ୍ ସିରିଜରେ ୨-୧ରେ ପରାସ୍ତ କରିଥିଲା । ଏହାସହ ଆଇସିସି ଟେଷ୍ଟ୍ ଚାମ୍ପିଅନସିପରେ ଦଳ ଦୁଇ ନମ୍ବର ସ୍ଥାନରେ ମଧ୍ୟ ରହିଛି । ଅର୍ଥାତ ବାଉଚର କୋଚ୍ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ମୋଟାମୋଟି ଭାବେ ଭଲ ପ୍ରଦର୍ଶନ କରିଛି ।

 

Related Articles

Back to top button