ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଓଡ଼ିଶା ଏଫ୍‌ସି- ଇଷ୍ଟବେଙ୍ଗଲ ଏଫ୍‌ସି ମଧ୍ୟରେ ଦ୍ବିତୀୟ ରାଉଣ୍ଡ ମ୍ୟାଚ

ଭୁବନେଶ୍ବର: ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ) ନବମ ସଂସ୍କରଣର କଳିଙ୍ଗ ଷ୍ଟାଡ଼ିୟମରେ ଓଡ଼ିଶା ଏଫ୍‌ସି ଓ ଇଷ୍ଟବେଙ୍ଗଲ ଏଫ୍‌ସି ମଧ୍ୟରେ ଦ୍ବିତୀୟ ରାଉଣ୍ଡ ମ୍ୟାଚ ଶନିବାର ଖେଳାଯିବ । ପ୍ରଥମ ରାଉଣ୍ଡ ମ୍ୟାଚରେ ଓଡ଼ିଶା ଏଫ୍‌ସି ୪-୨ ଗୋଲରେ ବିଜୟ ହାସଲ କରିଥିଲା। ଦଳ ଉକ୍ତ ସଫଳତାକୁ ଦୋହରାଇବାକୁ ଉଦ୍ୟମ କରିବା ସହିତ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବ।

ଜୋଶେଫ ଗମ୍ବାଉଙ୍କ ନେତୃତ୍ବାଧିନ ଓଡ଼ିଶା ଏଫ୍‌ସି ୧୨ଟି ମ୍ୟାଚରୁ ୬ଟି ବିଜୟ, ଗୋଟିଏ ଡ୍ର ଓ ୫ଟି ପରାଜୟ ସହ ୧୯ ପଏଣ୍ଟ ପାଇ ଟେବୁଲର ୬ଷ୍ଠ ସ୍ଥାନରେ ରହିିଛି। ଶେଷ ୪ଟି ମ୍ୟାଚରୁ ଓଡ଼ିଶା ଏଫ୍‌ସି ୩ଟି ପରାଜୟ ଓ ଗୋଟିଏ ଡ୍ର ରଖିଛି। ଦଳ ଶେଷ ମ୍ୟାଚରେ କଳିଙ୍ଗ ଷ୍ଟାଡ଼ିୟମରେ ମୁମ୍ବଇ ସିଟି ଏଫ୍‌ସି ନିକଟରୁ ୪-୨ ଗୋଲରେ ପରାଜିତ ହୋଇଥିଲା। ନନ୍ଦକୁମାର ଶେଖର ଓ ଡିଏଗୋ ମୁରାସିଓଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ଖେଳାଳି ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିନାହାନ୍ତି। ଶ୍ରେଷ୍ଠ ୪ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଦଳକୁ ଇଷ୍ଟବେଙ୍ଗଲ ଏଫ୍‌ସି ବିପକ୍ଷରେ ବିଜୟ ଏକାନ୍ତ ଜରୁରୀ ହୋଇପଡିଛି।

ମୁଖ୍ୟ ପ୍ରଶିକ୍ଷକ ଜୋଶେଫ ଗମ୍ବାଉ କହିଛନ୍ତି ଯେ, ବିଜୟ ଧାରାକୁ ଫେରିବା ନେଇ ଆମ ନିକଟରେ ଏବେ ଆଉ ଏକ ସୁଯୋଗ ରହିଛି। ଦଳ ଇଷ୍ଟବେଙ୍ଗଲ ଏଫ୍‌ସି ବିପକ୍ଷରେ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବୁ ବୋଲି ଗମ୍ବାଉ କହିଛନ୍ତି। ଅନ୍ୟପକ୍ଷରେ ଇଷ୍ଟବେଙ୍ଗଲ ଏଫ୍‌ସି ୧୧ଟି ମ୍ୟାଚରୁ ୪ଟି ବିଜୟ, ୭ଟି ପରାଜୟ ସହ ୧୨ ପଏଣ୍ଟ ପାଇ ଟେବୁଲର ୮ମ ସ୍ଥାନରେ ରହିଛି। ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ କନଷ୍ଟାଣ୍ଟିନ କହିଛନ୍ତି ଯେ,ଆମକୁ ଟେବୁଲରେ ଉପରକୁ ବଢିବାକୁ ହେଲେ ଓଡ଼ିଶା ଏଫ୍‌ସି ବିପକ୍ଷ ମ୍ୟାଚ ଜିତିବା ଜରୁରୀ। ଉକ୍ତ ମ୍ୟାଚ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କନଷ୍ଟାଣ୍ଟିନ କହିଛନ୍ତି।

Related Articles

Back to top button