୪ କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିଲେ ପାକିସ୍ତାନ ଅଧିନାୟକ ବାବର ଆଜାମ

ରୋଟରଡାମ: ରୋଟରଡାମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ପାକିସ୍ତାନ ନେଦରଲ୍ୟାଣ୍ଡକୁ ୧୬ ରନ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୬ ଉଇକେଟ ହରାଇ ୩୧୪ ରନ ସଂଗ୍ରହ କରିଥିଲା। ଫଖର ଜମାନ ୧୦୯ ରନ ଏବଂ ଅଧିନାୟକ ବାବର ଆଜାମ ୭୪ ରନ ସ୍କୋର କରିଥିଲେ। ଏହାର ଜବାବରେ ନେଦରଲ୍ୟାଣ୍ଡ ଦଳ କେବଳ ୫୦ ଓଭରରେ ୮ ଉଇକେଟ ହରାଇ ୨୯୮ ରନ କରିପାରିଥିଲା।
ଏହି ମ୍ୟାଚରେ ବାବର ୮୫ ବଲରେ ୭୪ ରନ ସଂଗ୍ରହ କରି ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କେବଳ ବିରାଟ କୋହଲିଙ୍କୁ ନୁହେଁ, ଚାରିଜଣ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇଛନ୍ତି। ବାବରଙ୍କ ଦିନିକିଆ କ୍ୟାରିୟରର ଏହା ୧୪ତମ ଅର୍ଦ୍ଧଶତକ ଥିଲା। ବାବର ବର୍ତ୍ତମାନ ପ୍ରାରମ୍ଭିକ ୮୮ ଇନିଂସ ପରେ ଦିନିକିଆରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ଏହି ମାମଲାରେ ସେ ହାସିମ ଆମଲା, କୋହଲି ଏବଂ ଭିଭିଆନ ରିଚାର୍ଡସଙ୍କୁ ପଛରେ ପକାଇ ଦେଇଛନ୍ତି।
୮୮ ଇନିଂସ ପରେ ବାବର ଦିନିକିଆରେ ୪୫୧୬ ରନ କରିଛନ୍ତି। ଏଥିସହିତ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଆମଲା ୮୮ ଇନିଂସ ପରେ ୪୪୭୩ ରନ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଆନ ରିଚାର୍ଡସ ତାଙ୍କର ପ୍ରାରମ୍ଭିକ ୮୮ ଇନିଂସ ପରେ ଦିନିକିଆରେ ୪୦୩୮ ରନ ସ୍କୋର କରିଥିଲେ। ଏଥି ସହିତ ୱେଷ୍ଟଇଣ୍ଡିଜର ଶାଇ ହୋପ ୮୮ ଇନିଂସ ପରେ ୪୦୨୬ ରନ ସଂଗ୍ରହ କରିଥିଲେ। ଭାରତର ବିରାଟ କୋହଲି ପ୍ରାରମ୍ଭିକ ୮୮ ଇନିଂସ ପରେ ଦିନିକିଆରେ ୩୮୮୬ ରନ ସଂଗ୍ରହ କରିଥିଲେ। ବାବର ସମସ୍ତଙ୍କୁ ପଛରେ ପକାଇଛନ୍ତି।

Related Articles

Back to top button