ପରିବା ଦର ଆକାଶଛୁଆଁ

ଭୁବନେଶ୍ୱର: ଦାଉ ସାଧିଛି ସାମ୍ଭାବ୍ୟ ବନ୍ୟା। ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ ହୋଇଥିବାରୁ ଫସଲ ନଷ୍ଟ ହେବାରେ ଲାଗିଛି। ଫଳରେ ପରିବା ଦର ଆକାଶଛୁଆଁ ହୋଇଛି। ବଜାରକୁ ଗଲେ ପକେଟ ଖାଲି ହେଉଛି, ମାତ୍ର ବ୍ୟାଗ୍‌ ଭର୍ତ୍ତି ହେଉନାହିଁ। ଆଳୁ ବ୍ୟତୀତ କୌଣସି ପରିବାର ଦର ୪୦ ଟଙ୍କା ତଳକୁ ନାହିଁ। ରାଜଧାନୀର ପ୍ରମୁଖ ବଜାର କୁହାଯାଉଥିବା ୟୁନିଟ-୧ ପରିବା ମାର୍କେଟରେ ଆଳୁ ଦର କିଲୋ ପିଛା ୩୦ ଟଙ୍କା ଥିବାବେଳେ ଛୋଟ ଆଳୁ ପିଛା ୨୫ଟଙ୍କା ରହିଛି। ସେହିପରି ପିଆଜ ୩୫ ଟଙ୍କା, ବାଇଗଣ କିଲୋପିଛା ୬୦, ବନ୍ଧାକୋବି ୪୫, ପୋଟଳ ୪୦ରୁ ୬୦, ଟମାଟୋ ୫୦, ସଜନାଛୁଇଁ ୮୦ ଟଙ୍କା ଥିବାବେଳେ ବିନ୍ସ ଏବଂ ସିମ୍‌ଲା ଲଙ୍କାର ଦର ୧୦୦ଟଙ୍କା ରହିଛି। ଅନ୍ୟ ହାଟ ଏବଂ ଦୋକାନରେ ପରିବା ଦର କେଜି ପିଛା ୮୦ ଟଙ୍କା ଉପରେ ରହିଛି। ଏ ସମ୍ପର୍କରେ ରାଜଧାନୀ କଞ୍ଚା ପରିବା ବିକ୍ରେତା ମହାସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି, ବନ୍ୟା ପାଇଁ ଏବେ ପରିବା ଦର ଅଧିକ ରହିଛି। ଆଗକୁ ମଧ୍ୟ କିଛିଦିନ ପାଇଁ ଏମିତି ଦର ରହିବ। ବାଙ୍ଗାଲୋରରୁ ବନ୍ଧାକୋବି, ଫୁଲକୋବି, ବିନ୍ସ, ସିମ୍‌ଲା, ଟମାଟୋ ଆଦି ପରିବା ଆମଦାନୀ ହୋଇଥାଏ। ସେହିପରି ତାମିଲନାଡୁରୁ ସଜନାଛୁଇଁ, କଖାରୁ, ଆନ୍ଧ୍ରପ୍ରଦେଶରୁ ଅମୃତଭଣ୍ଡା, ପଶ୍ଚିମବଙ୍ଗରୁ ବାଇଗଣ, କାଙ୍କଡ, ପୋଟଳ, ଅମୃତଭଣ୍ଡା, ଇନ୍ଦୋରରୁ ଗାଜର ଆମଦାନୀ ହେଉଛି। ସାଧାରଣତଃ ୮୦ ପ୍ରତିଶତ ପରିବା ବାହାର ରାଜ୍ୟରୁ ଆସୁଥିବାବେଳେ ଓଡ଼ିଶାରୁ ୨୦ ପ୍ରତିଶତ ପରିବା ଆମଦାନୀ ହୁଏ। ମାତ୍ର ଏଥର ବର୍ଷାରେ ସେତକ ବି ଭାସିଗଲା। ତେଣୁ ଆମକୁ ସମ୍ପୂର୍ଣ୍ଣରୂପେ ବାହାର ରାଜ୍ୟ ଉପରେ ଭରସା କରିବାକୁ ପଡ଼ିବ। ତେବେ ସମ୍ପ୍ରତି ବାହାର ରାଜ୍ୟରେ ବି ବର୍ଷା ହେଉଥିବାରୁ ସେଠାକାର ସ୍ଥିତି ମଧ୍ୟ ଖରାପ। ତେଣୁ ସେପଟୁ ଓଡ଼ିଶାକୁ ପରିବା ଆସିପାରୁନାହିଁ। ଯେତିକି ପରିବା ମହଜୁଦ ଅଛି ସେଗୁଡ଼ିକୁ ଉଚ୍ଚା ଦାମ୍‌ରେ କିଣିବାକୁ ପଡୁଛି। ତେଣୁ ଖାଉଟିଙ୍କୁ ମଧ୍ୟ ଚଢ଼ା ଦରରେ ବିକ୍ରି କରାଯାଉଛି ବୋଲି ସେ କହିଛନ୍ତି। ସେହିପରି ରାଜ୍ୟର ଉପକୂଳ ଅଞ୍ଚଳରେ ଦର ମହଙ୍ଗା ରହିଛି। କେନ୍ଦ୍ରାପଡ଼ାରେ ଆଳୁ କିଲୋ ପିଛା ୨୪ ଟଙ୍କା ଥିବାବେଳେ ପିଆଜ ୨୦, ରସୁଣ ୫୦, ଅଦା ୮୦, ବାଇଗଣ ୪୦, ଟମାଟୋ ୩୦, ଜହ୍ନି ୭୦, ଭେଣ୍ଡି ୪୦, ପୋଟଳ ୬୦, ଝୁଡ଼ଙ୍ଗ ୬୦, ଅମୃତଭଣ୍ଡା ୩୦, ସଜନା ଛୁଇଁ ୧୦୦, ଫୁଲକୋବି ୭୦, ବନ୍ଧାକୋବି ୫୦ ଏବଂ କଖାରୁ ୩୦ଟଙ୍କା ରହିଛି। ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଦର ଆହୁରି ବଢିବା ଆଶଙ୍କା କରାଯାଉଛି। ତେବେ ଏଭଳି ଚଢ଼ା ଦର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସମସ୍ତ ବର୍ଗର ଖାଉଟିଙ୍କୁ ହନ୍ତସନ୍ତ କରୁଛି।

Related Articles

Back to top button