ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତା ଜୁନ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମଠାରେ ୪୪ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ । ଆନ୍ତର୍ଜାତିକ ଚେସ ସଂଘ, ଫିଡେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅଲିମ୍ପିକ ପରମ୍ପରାର ଅଂଶ ଭାବେ ଚେସ ଅଲିମ୍ପିଆଡ ମଶାଲ ଦୌଡ ଆରମ୍ଭ କରିଛନ୍ତି । ପ୍ରଥମ ଦେଶ ଭାବରେ ଭାରତ ଚେସ ଅଲିମ୍ପିଆଡ ମଶାଲ ଦୌଡ ଆୟୋଜନ କରୁଛି । ଉଲ୍ଲେଖଯୋଗ୍ୟ, ଭାରତର ଚେସ ପରମ୍ପରାକୁ ଆଗେଇ ନେବା ପାଇଁ ଚେସ ଅଲିମ୍ପିଆଡ ମଶାଲ ଦୌଡ ସଦାବେଳେ ଭାରତରୁ ହିଁ ଆରମ୍ଭ ହେବ ଓ ବିଭିନ୍ନ ମହାଦେଶ ଭ୍ରମଣ କରି ଆୟୋଜକ ଦେଶରେ ପହଞ୍ଚିବ ।

ଫିଡେ ସଭାପତି ଆରକଡି ଦ୍ରୋକୋଭିଚ ପ୍ରଧାନମନ୍ତ୍ରୀଙ୍କୁ ମଶାଲ ହସ୍ତାନ୍ତର କଲାପରେ ସେ ଏହି ମଶାଲ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ହସ୍ତାନ୍ତର କରିବେ । ଚେନ୍ନାଇ ନିକଟସ୍ଥ ମହାବଳୀପୁରମଠାରେ ଏହି ଦୌଡର ଶେଷ ପର୍ଯ୍ୟାୟରେ ପହଞ୍ଚିବା ପୂର୍ବରୁ ଏହି ମଶାଲ ୪୦ ଦିନରେ ୭୫ ସହର ଅତିକ୍ରମ କରିବ । ପ୍ରତ୍ୟେକ ସ୍ଥାନରେ ସେହି ରାଜ୍ୟର ଚେସ ଗ୍ରାଣ୍ଡମାଷ୍ଟର ମଶାଲକୁ ସ୍ୱାଗତ କରିବେ ।

୪୪ତମ ଚେସ ଅଲିମ୍ପିଆଡ ଜୁଲାଇ ୨୮ରୁ ଅଗଷ୍ଟ ୧୦, ୨୦୨୨ ପର୍ଯ୍ୟନ୍ତ ଚେନ୍ନାଇ ଠାରେ ଆୟୋଜିତ ହେବ । ୧୯୨୭ରୁ ଆୟୋଜିତ ହେଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ଓ ୩୦ ବର୍ଷ ପରେ ଏସିଆରେ ଆୟୋଜିତ ହେଉଛି । ୧୮୯ ଦେଶର ଭାଗିଦାରୀ ସହ ଏହା ସବୁଠାରୁ ବଡ ଚେସ ଅଲିମ୍ପିଆଡ ହେବାକୁ ଯାଉଛି ।

Related Articles

Back to top button