କ୍ରିକେଟର୍‌ ସବୁ ଫର୍ମାଟରୁ ଅବସର ନେଲେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ହାସିମ ଆମଲା

ଜୋହାନ୍ସବର୍ଗ: ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବ। ଏହି ଟୁର୍ନାମେଣ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ହାସିମ ଆମଲା ସମସ୍ତ ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ୩୯ ବର୍ଷୀୟ ଆମ୍‌ଲା ତାଙ୍କ କ୍ୟାରିୟରରେ ଏକ ତ୍ରିଶତକ ହାସଲ କରିଛନ୍ତି, କିନ୍ତୁ ବର୍ତ୍ତମାନ ଏହି ଖେଳାଳିଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ ନାହିଁ। ଏହି ନିଷ୍ପତ୍ତି ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛି।
ଦକ୍ଷିଣ ଆଫ୍ରିକାର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହାସିମ ଆମଲା ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆମଲାଙ୍କ କ୍ୟାରିଅର୍‌ ପ୍ରାୟ ଦୁଇ ଦଶନ୍ଧି ବ୍ୟାପିଥିଲା। ଏହି ସମୟରେ ସେ ଅନେକ ରେକର୍ଡ ଭାଙ୍ଗିଥିଲେ।
ଆମଲା ତାଙ୍କ କ୍ୟାରିୟରରେ ୩୪,୧୦୪ ରନ ସ୍କୋର କରିଥିଲେ। ଏଥିମଧ୍ୟରୁ ୨୦୦୪ରୁ ୨୦୧୯ ମଧ୍ୟରେ ତାଙ୍କର ୧୨୪ ଟେଷ୍ଟ ମ୍ୟାଚରେ ୯,୨୮୨ ରନ କରିଥିଲେ। ୨୦୧୨ରେ ଆମଲା ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୩୧୧ ଖେଳିଥିଲେ। ସେ ନିଜ ଟେଷ୍ଟ କ୍ୟାରିୟରରେ ୨୮ ଶତକ ଏବଂ ୪୧ ଅର୍ଦ୍ଧଶତକ ହାସଲ କରିଥିଲେ। ଟେଷ୍ଟ ଫର୍ମାଟରେ ଦକ୍ଷିଣ ଆଫ୍ରିକା ପାଇଁ ତ୍ରିଶତକ ହାସଲ କରିଥିବା ସେ ମଧ୍ୟ ପ୍ରଥମ ଖେଳାଳି।
ଡର୍ବାନରେ ଜନ୍ମଗ୍ରହଣ କରିଥିବା ହାସିମ ଆମଲା ତାଙ୍କ କ୍ୟାରିୟରରେ ୧୮୧ଟି ଦିନିକିଆ ଏବଂ ୪୪ ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ଦିନିକିଆରେ ସେ ୨୭ ଶତକ ସହିତ ୮୧୧୩ ରନ ସ୍କୋର କରିଥିବାବେଳେ ଅନ୍ତର୍ଜାତୀୟ ଟି-୨୦ ଫର୍ମାଟରେ ସେ ୮ ଅର୍ଦ୍ଧଶତକ ସହ ୧୨୭୭ ରନ ସ୍କୋର କରିଥିଲେ।

Related Articles

Back to top button