ଏସିଆ କପ୍‌ କ୍ରିକେଟ ଫାଇନାଲରେ ଶ୍ରୀଲଙ୍କା-ପାକିସ୍ତାନ, ଭାରତ ବିଦା

ଦୁବାଇ: ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଏକ ଲୋ ସ୍କୋରିଂ ସୁପର ଫୋର ମ୍ୟାଚ୍‌ରେ ପାକିସ୍ତାନ ରୋମାଞ୍ଚଭାବେ ମାତ୍ର ୧ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ଫଳାଫଳ ଭାରତକୁ ବିଦାୟ ପଥ ଦେଖାଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଓ ପାକିସ୍ତାନ ଫାଇନାଲ ଖେଳିବା ସ୍ପଷ୍ଟ ହୋଇଛି। ସୁପର ଫୋର୍‌ ପର୍ଯ୍ୟାୟରେ କ୍ରମାଗତ ୨ଟି ମ୍ୟାଚ୍‌ ହାରିଥିବା ଭାରତ ଗୁରୁବାର ଆଫଗାନିସ୍ତାନକୁ ଭେଟିବ। ମାତ୍ର ଏହି ମ୍ୟାଚ୍‌ କେବଳ ଔପଚାରିକତା ଦୃଷ୍ଟିରୁ ଖେଳାଯିବ। ଭାରତ ଓ ଆଫଗାନିସ୍ତାନକୁ ଉଭୟ ଶ୍ରୀଲଙ୍କା ଓ ପାକିସ୍ତାନ ସୁପର ଫୋର୍‌ରେ ପରାସ୍ତ କରିଥିବାରୁ ୪ ପଏଣ୍ଟ ଲେଖାଏ ପାଇ ଆଗକୁ ବଢ଼ିଛନ୍ତି।

ଶାରଜା କ୍ରିକେଟ୍‌ ଷ୍ଟାଡିୟମ ପିଚ୍‌ ବୋଲରଙ୍କୁ ସୁହାଇଥିଲା। ଫଳରେ ଆଫଗାନିସ୍ତାନ ୨୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୧୨୯ ରନ୍‌ କରିପାରିଥିଲା। ଦଳ ପକ୍ଷରୁ ଇବ୍ରାହିମ୍‌ ଜଡ୍ରାନ ସର୍ବାଧିକ ୩୫ ରନ୍‌ କରିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ହାରିସ ରୌଫ ୨ଟି ଏବଂ ନସିମ ଶାହା, ମହମ୍ମଦ ହାସନେନ, ମହମ୍ମଦ ନଓ୍ବାଜ ଓ ଶଦାବ ଖାଁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ପାକିସ୍ତାନ ୧୯.୨ ଓଭରରେ ୯ ଉଇକେଟ ହରାଇ ୧୩୧ ରନ୍‌ ସଂଗ୍ରହ କରିନେଇଥିଲା। ଆଫଗାନିସ୍ତାନ ବୋଲରମାନେ ଆରମ୍ଭରୁ ପ୍ରଭାବୀ ବୋଲିଂ କରିଥିଲେ। ଫଳରେ କୌଣସି ପାକିସ୍ତାନୀ ବ୍ୟାଟର ହାତଖୋଲି ଖେଳିପାରି ନ ଥିଲେ। ଶଦାବ ଖାଁ ସର୍ବାଧିକ ୩୬ ଓ ଇଫ୍‌ତିକାର ଅହମଦ ୩୦ ରନ୍‌ କରିଥିଲେ। ୧୮ତମ ଓଭରରେ ୪ ରନ୍‌ରେ ୨ଟି ଏବଂ ୧୯ତମ ଓଭରରେ ୧୦ ରନ୍‌ କରି ପାକିସ୍ତାନ ୨ଟି ଉଇକେଟ ହରାଇ ପରାଜୟମୁହାଁ ହୋଇଥିଲା। ମାତ୍ର ୨୦ତମ ଓଭରର ପ୍ରଥମ ୨ ବଲ୍‌କୁ ଛକାରେ ପରିଣତ କରି ପାକିସ୍ତାନର ନସିମ ଶାହା ମ୍ୟାଚ୍‌ର ଉତ୍କଣ୍ଠାପୂର୍ଣ୍ଣ ପରିସମାପ୍ତି ଘଟାଇଥିଲେ।
ସଂକ୍ଷିପ୍ତ ସ୍କୋର
ଆଫଗାନିସ୍ତାନ ୨୦ ଓଭରରେ ୧୨୯/୬ (ଇବ୍ରାହିମ୍‌ ଜଡ୍ରାନ-୩୫, ହାରିସ ରୌଫ-୨/୨୬)। ପାକିସ୍ତାନ ୧୯.୨ ଓଭରରେ ୧୩୧/୯ (ଶଦାବ ଖାଁ-୩୬, ଇଫ୍‌ତିକାର ଅହମଦ-୩୦, ଫଜଲହକ୍‌ ଫାରୁକି-୩/୩୧ ଓ ଫରିଦ ଅହମଦ-୩/୩୧, ରଶିଦ ଖାଁ-୨/୨୫)।

Related Articles

Back to top button