ଆର୍ଥୀକ ଅବସ୍ଥା ଭଲ ନାହିଁ ଜଣାଇବା ପରେ କାମ୍ବଲୀଙ୍କୁ ମିଳିଲା ଚାକିରୀ ଅଫର

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଷ୍ଟାର ଖେଳାଳି ବିନୋଦ କାମ୍ବଲୀ ଏବେ ନିକଟରେ ତାଙ୍କ ଆର୍ଥୀକ ଅବସ୍ଥା ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ । ସଚିନ ତେନ୍ଦୁଲକରଙ୍କ ଏହି ବାଲ୍ୟ ବନ୍ଧୁ ପରିବାର ଚଳାଇବା ତାଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ ବୋଲି କହିଥିଲେ । ବିସିସିଆଇର ୩୦ ହଜାର ଟଙ୍କା ପେନସନ ଏବେ ତାଙ୍କର ସବୁ କିଛି ହୋଇଛି । ଏହି ଖବର ପ୍ରସାରିତ ହେବା ପରେ ମହାରାଷ୍ଟ୍ରର ସନ୍ଦୀପ ଥୋରେଟେ ନାମକ ବ୍ୟବସାୟୀ ତାଙ୍କୁ ଚାକିରୀ ଅଫର ଦେଇଛନ୍ତି । ସେ ତାଙ୍କ କମ୍ପାନୀ ସାହ୍ୱାଦ୍ରୀ ଉଦ୍ୟୋଗ ସମୂହର ଫାଇନାନ୍ସ ଡିପାର୍ଟମେଂଟରେ ଚାକିରୀ କରିବା ପାଇଁ କାମ୍ବଲୀଙ୍କୁ ଆମନ୍ତ୍ରଣ କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ପକ୍ଷରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯିବ ବୋଲି ମଧ୍ୟ କୁହାଯାଇଛି । ତେବେ କାମ୍ବଲୀ ଏହି ଚାକିରୀରେ ଯୋଗଦେବେ କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ କରି ନାହାନ୍ତି ।

ସୂଚନାଯୋଗ୍ୟ, କାମ୍ବଲୀ ସ୍କୁଲସ୍ତରୀୟ ମୁକାବିଲାରେ ସଚିନଙ୍କ ସହ ରେକର୍ଡ ଭାଗିଦାରୀ କରି ଚର୍ଚ୍ଚାକୁ ଆସିଥିଲେ । ପରେ ସେ ଆନ୍ତର୍ଜାତୀୟ ଟେଷ୍ଟରେ କ୍ରମାଗତ ୨ଟି ଦ୍ୱିଶତକ ମାରି ହଇଚଇ ସୃଷ୍ଟି କରିଥିଲେ । ମାତ୍ର କ୍ରିକେଟର ଗ୍ଲାମରରେ ଛନ୍ଦି ହୋଇ ସେ ତାଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ ଆଉ କରିପାରି ନ ଥିଲେ । ଧିରେ ଧିରେ ସେ ଦଳ ପାଇଁ ଅଲୋଡା ହୋଇ ପଡିଥିଲେ । ଅଭିନୟଠାରୁ ଆରମ୍ଭ କରି ବିଭିନ୍ନ ମାଧ୍ୟମରେ ସେ ତାଙ୍କ ରୋଜଗାର ବଢ଼ାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ ।

Related Articles

Back to top button