ବିଶ୍ବ କୁସ୍ତି ଚମ୍ପିଆନଶିପରେ ବ୍ରୋଞ୍ଜ ଜିତିଲେ ଭିନେଶ ଫୋଗଟ
ବେଲଗ୍ରେଡ: ଚଳିତ ବିଶ୍ବ କୁସ୍ତି ଚମ୍ପିଆନଶିପରେ ଚମକିଲେ ଭିନେଶ ଫୋଗଟ । ମହିଳା ଫ୍ରି ଷ୍ଟାଇଲ ୫୩ କିଗ୍ରା ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିବା ସହ ବିଶ୍ବ ଚମ୍ପିଆନସିପରେ ୨ଟି ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ରେସଲର ହୋଇଛନ୍ତି ଭିନେଶ ଫୋଗାଟ । ମୁକାବିଲାରେ ସ୍ବିଡେନର ଇମା ଜୋନ୍ନା ମାଲମଗ୍ରେନଙ୍କୁ ୮-୦ରେ ପରାସ୍ତ କରି ସଫଳତା ପାଇଛନ୍ତି । ବିଶ୍ବ ଚମ୍ପିଆନସିପରେ ଭିନେଶଙ୍କର ଏହା ଦ୍ବିତୀୟ କାଂସ୍ୟ ପଦକ ।
ଏହା ପୂର୍ବରୁ ୨୦୧୯ରେ ସଂସ୍କରଣରେ କାଜଖସ୍ତାନର ନୁନ ସୁଲତାନରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ମଙ୍ଗଳବାର ଅନୁଷ୍ଠିତ ବ୍ରୋଞ୍ଜ ମେଡାଲ ରାଉଣ୍ଡରେ ମାଙ୍ଗୋଲିଆର ଖୁଲାନ ବଟଖ୍ୟୁଗାଙ୍କଠୁ ୭-୦ରେ ପରାସ୍ତ ହୋଇଥିଲେ ମାତ୍ର ଏହାପରେ ଏକ ଜବରଦସ୍ତ କମବ୍ୟାକ କରିଥିଲେ । ବଟଖ୍ୟୁଗା ଫାଇନାଲରେ ପହଞ୍ଚିଥିଲେ । ଏସିଆ ଚମ୍ପିଆନସିପରେ ରୌପ୍ୟ ଜିତିଥିଲେ ବଟଖ୍ୟୁଗା । ବଟଖ୍ୟୁଗାଙ୍କଠୁ ହାରିବା ପରେ ଭିନେଶଙ୍କୁ ରିପିଚେଜ ରାଉଣ୍ଡ ଖେଳିବାକୁ ସୁଯୋଗ ମିଳିଥିଲା । ରିପିଚେଜ ମୁକାବିଲାର ପ୍ରଥମ ରାଉଣ୍ଡରେ କାଜାଖସ୍ତାନର ଝୁଲିଡିଜ ଏସିମୋଭାଙ୍କୁ ଫଲ୍ ସହିତ ୪-୦ରେ ପରାସ୍ତ କରିଥିଲେ । ପରବର୍ତ୍ତୀ ଲଢେଇରେ ଆଜାରବୈଜାନର ଲୈଲା ଗୁରବାନୋଭା ଆହତ କାରଣରୁ ଅଂଶଗ୍ରହଣ ନ କରିବାରୁ ଭିନେଶ ବ୍ରୋଞ୍ଜ ମୁକାବିଲା ରାଉଣ୍ଡରେ ପହଞ୍ଚିଥିଲେ । ଏହାପରେ ସ୍ବିଡେନର ଇମା ଜୋନ୍ନା ମାଲମଗ୍ରେନଙ୍କୁ ହରାଇ କାଂସ୍ୟ ପଦକ ଜିତିଛନ୍ତି ଭିନେଶ ।
ଆଜି (ଗୁରୁବାର) ୬୮ ବର୍ଗରେ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା କରିବେ ନିଶା ଦହିୟା । କ୍ବାର୍ଟର ଫାଇନାଲରେ ବୁଲଗେରିଆର ସୋଫିଆ ଜର୍ଜିଭାଙ୍କୁ ୧୧-୦ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ ନିଶା । ସେମି ମୁକାବିଲାରେ ଜାପାନର ଜୁନିୟର ବିଶ୍ବ ଚମ୍ପିଅନସିପର ଚମ୍ପିଆନ ଆମି ଇଶିଙ୍କଛୁ ୪-୫ରେ ହାରିଯାଇଥିଲେ ।
ବିଶ୍ବ କୁସ୍ତି ଚମ୍ପିଆନସିପରେ ୨ଟି ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ଭିନେଶ ଫୋଗଟ । ପୂର୍ବରୁ ୨୦୧୯ ସଂସ୍କରଣରେ ବ୍ରୋଞ୍ଜ ପଦକ ଜିତିଥିଲେ । ନିକଟରେ ବର୍ମିଂହାମରେ ଶେଷ ହୋଇଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଭିନେଶ ଫୋଗଟ ।