୬୦ ବର୍ଷ ବୟସରେ ୪୮ ମହଲା ବିଶିଷ୍ଟ ବିଲ୍ଡିଂ ଚଢ଼ି ରେକର୍ଡ

ପ୍ୟାରିସ୍‌: ବିଶାଳ ଟାଓ୍ବାର ଚଢ଼ିବାର ସ୍ବପ୍ନକୁ ବୃଦ୍ଧ ବୟସରେ ଫ୍ରାନ୍ସର ଆଲେନ ରବର୍ଟ ନାମକ ଜଣେ ବ୍ୟକ୍ତି ସାକାର କରିଛନ୍ତି। ଶନିବାର ପ୍ୟାରିସ୍‌ରେ ସେ ଏକାକୀ ୪୮ ମହଲା ବିଶିଷ୍ଟ ବିଲ୍ଡିଂ ଚଢ଼ି ରେକର୍ଡ କରିଛନ୍ତି। ରବର୍ଟ ନାଲି ରଙ୍ଗର ଡ୍ରେସ୍‌ ପିନ୍ଧି ୬୧୩ ଫୁଟ ଉଚ୍ଚତା ବିଶିଷ୍ଟ ବିଲ୍ଡିଂର ୧୮୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢ଼ିଥିଲେ। ଏହି ବିଲ୍ଡିଂଟି ଫ୍ରାନ୍ସର ଲା ଡିଫେନ୍ସ ବିଜ୍‌ନେସ୍‌ ଡିଷ୍ଟ୍ରିକ୍ଟରେ ଅବସ୍ଥିତ। ଆସନ୍ତା ମାସରେ ରବର୍ଟ ୬୦ ବର୍ଷରେ ପଦାର୍ପଣ କରିବେ। ବୟସ ମାତ୍ର ଏକ ସଂଖ୍ୟା। ଫ୍ରାନ୍ସରେ ଚାକିରିରୁ ଅବସର ନେବା ବୟସ ୬୦ ହୋଇଥିବାବେଳେ ତାଙ୍କୁ ଯେତେବେଳେ ୬୦ ବର୍ଷ ବୟସ ହେବ ସେତେବେଳେ ସେ ନଭଶ୍ଚୁମ୍ବି ଅଟ୍ଟାଳିକା ଚଢ଼ି ରେକର୍ଡ କରିବା ପାଇଁ ନିଷ୍ପତ୍ତିି ନେଇଥିବା କହିଛନ୍ତି। ଏହାବ୍ୟତୀତ ଆଲେନ ବିଶ୍ୱର ବହୁ ଅଟ୍ଟାଳିକା ମାନ ଛଢ଼ିଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ଏ ପ୍ରକାର ଟାକ୍ସ କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି। ୧୯୭୫ ମସିହାରୁ ସେ ବିରାଟ ବିଲ୍ଡିଂ ସବୁ ଚଢ଼ିବା ଆରମ୍ଭ କରିଥିଲେ। ଫ୍ରାନ୍ସର ଦକ୍ଷିଣାଞ୍ଚଳରେ ଥିବା ଭାଲେନ୍ସରେ ରବର୍ଟ ଏ ନେଇ ପ୍ରଶିକ୍ଷଣ ନେଇଛନ୍ତି। ୧୯୭୭ରେ ସେ ଏକାକୀ ବିଶାଳ ଟାଓ୍ବାର ଚଢ଼ିବା ଆରମ୍ଭ କରିଥିଲେ। ଦୁବାଇର ସବୁଠାରୁ ଉଚ୍ଚତମ ବିଲ୍ଡିଂ ବୁର୍ଜୁ ଖଲିଫା, ଇଫିଲ୍‌ ଟାଓ୍ବାର ଚଢ଼ିବା ସହ ବର୍ତ୍ତମାନ ସୁଦ୍ଧା ସେ ୧୫୦ରୁ ଊର୍ଦ୍ଧ୍ୱ ଟାଓ୍ବାର ଚଢ଼ିଥିବା କୁହାଯାଉଛି। ପ୍ରଶାସନର ବିନା ଅନୁମତିରେ ବିଶାଳକାୟ ଟାଓ୍ବାର ସବୁ ଚଢ଼ିବା ବେଆଇନ କାର୍ଯ୍ୟ ଅଧୀନରେ ଆସୁଥିବାବେଳେ ଏନେଇ ବହୁବାର ତାଙ୍କୁ ଗିରଫ ହେବାକୁ ପଡ଼ିଛି।

Related Articles

Back to top button