ମୃତ୍ୟୁ ପରେ ପାଞ୍ଚ ଜଣଙ୍କୁ ଦେଲେ ନୂଆ ଜୀବନ

ଜଣେ ମହିଳା, ଯିଏ ଏହି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଲେ ସତ ହେଲେ ଆଜି ସିଏ ବଞ୍ଚାଇଦେଇ ଗଲେ ୫ ଜଣଙ୍କ ଜୀବନ।ନିଜର ଆତ୍ମୀୟଙ୍କ ମୃତ୍ୟୁ ପରେ ଅଙ୍ଗଦାନ କରି ଉଦାହରଣ ସୃଷ୍ଟି କଲେ ପରିବାର ଲୋକେ। ବ୍ରହ୍ମପୁରର ଜଣେ ୫୬ ବର୍ଷୀୟା ମହିଳା । ଯିଏ ସ୍କୁଟି ଚଲାଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗତ ନଭେମ୍ବର ୧ ତାରିଖରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨ ନଭେମ୍ବରରେ ତାଙ୍କର ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର। ଡ଼ାକ୍ତରମାନଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚେଇବାରେ ବିଫଳ ହୋଇଥିଲେ। ଏହାପରେ ତାଙ୍କ ପରିବାର ଲୋକେ ତାଙ୍କର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ ।

ସେମାନଙ୍କ ଅନୁମତି କ୍ରମେ ସୋଟୋ କୁ ଏନେଇ ଅବଗତ କରାଯାଇଥିଲା । ସୋଟୋ ପାଖରୁ ଅନୁମତି ମିଳିବା ପରେ ତାଙ୍କର ଲିଭର, ଲଙ୍ଗସ୍, ହାର୍ଟ, କିଡନୀ ଦ୍ଵାରା ୫ ଜଣ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରାଯାଇଛି। ଗତକାଲି ରାତିରେ କଟକ ଏସସିବି ମେଡିକାଲକୁ ଦୁଇଟି ଯାକ କିଡନୀ ପ୍ରତିରୋପଣ ପାଇଁ ଅଣାଯାଇଛି । ଗ୍ରୀନ୍ କରିଡର କରାଯାଇ ଏସସିବିକୁ ଆସିଛି ଦୁଇଟି କିଡନୀ ।

ଏଠାରେ କାଡାଭାରିକ କିଡନୀ ଟ୍ରାନସପ୍ଲାଣ୍ଟ କରାଯାଇଛି । ଏସସିବି ମେଡିକାଲରେ କିଡନୀ ପ୍ରତିରୋପଣ ପାଇଁ ୩ ଜଣ ରୋଗୀଙ୍କୁ ପ୍ରସ୍ତୁତ କରି ରଖାଯାଇଥିଲା । ସେମାନଙ୍କ ଭିତରୁ ଦୁଇ ଜଣଙ୍କ ଶରୀରରେ କିଡନୀ ପ୍ରତିରୋପନ କରାଗଲା । ଯାହାଙ୍କର କିଡନୀ ପ୍ରତିରୋପନ ହେଲା ସେମାନେ ହେଉଛନ୍ତି ସମାତିକା ମହାନ୍ତି । ଯାହାଙ୍କ ବୟସ ୩୦ ବର୍ଷ । ତାଙ୍କ ଘର ବାଲେଶ୍ୱରରେ । ଆଉ ଜଣେ ହେଉଛନ୍ତି ଚିତ୍ତରଞ୍ଜନ ମହାନ୍ତି। ତାଙ୍କ ବୟସ ୩୬ ବର୍ଷ ଏବଂ ଘର ଭୁବନେଶ୍ୱର । ଏହି ଦୁଇଜଣଙ୍କ ଠାରେ ଏସସିବି ମେଡିକାଲରେ ଦୁଇଟି କିଡନୀ ପ୍ରତିରୋପଣ କରାଯାଇଛି ।

ସତ କହିବାକୁ ଗଲେ ମାନବ ସମାଜର କଲ୍ୟାଣ ପାଇଁ ଅଙ୍ଗଦାନଠାରୁ ବଡ଼ ଆଉ କିଛି ନାହିଁ । ଏହା ଦ୍ୱାରା ମଣିଷ ମରି ମଧ୍ୟ ଅନ୍ୟ ମାଧ୍ୟମରେ ଜୀବିତ ରୁହେ। ଏହି ମହନୀୟ ଦାନ ଜଣେ ସାଧାରଣ ମଣିଷକୁ ସର୍ବଦା ଜୀବନ୍ତ କରି ରଖିଥାଏ। ଚିକିତ୍ସା ବିଜ୍ଞାନରେ ଉନ୍ନତି ସତ୍ତ୍ବେ ବହୁଦିନ ପର୍ଯ୍ୟନ୍ତ ଆମ ସମାଜ ସହ ଏହା ଏକ କୁପ୍ରଥା ଭାବେ ବିବେଚିତ ହେଉଥିଲା। ବିଭିନ୍ନ କାରଣ ପାଇଁ ସମସ୍ତଙ୍କ ପାଖରେ ଏହା ଗ୍ରହଣୀୟ ନଥିଲା । ସମୟକ୍ରମେ ଅଙ୍ଗଦାନ ପ୍ରକ୍ରିୟାରେ ଅନେକ ପରିବର୍ତ୍ତନ ଆସିଛି ।

Related Articles

Back to top button