ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବ୍ରିଟେନ ଗସ୍ତ କରିବେ। ରାଷ୍ଟ୍ରପତି  ସେପ୍ଟେମ୍ବର ୧୭ରୁ୧୯ ଲଣ୍ଡନ ଗସ୍ତ କରି ଭାରତ ସରକାରଙ୍କ ତରଫରୁ ମହାରାଣୀଙ୍କ ପାଇଁ ସମବେଦନା ଜଣାଇବେ। ମହାରାଣୀଙ୍କ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ୱେଷ୍ଟମିନିଷ୍ଟର ଆବେରେ ଅନୁଷ୍ଠିତ ହେବ।

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।  ଏହି ଦିନକୁ ମଧ୍ୟ ବ୍ରିଟେନ ସରକାର ଛୁଟି ଘୋଷଣା କରିଛନ୍ତି ।  ରାଣୀଙ୍କ ଅନ୍ତିମ ସଂସ୍କାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୋଗଦେବେ। ଏଥି ସହିତ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଲଣ୍ଡନ ଗସ୍ତ କରିବେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ ଭାରତ ସରକାରଙ୍କ ପକ୍ଷରୁ ଇଂଲଣ୍ଡର ରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସେପ୍ଟେମ୍ବର ୧୭ରୁ ୧୯ ଦୁଇ ଦିନିଆ ଲଣ୍ଡନ ଗସ୍ତରେ ଯିବେ ରାଷ୍ଟ୍ରପତି।  ରାଣୀ ଏଲିଜାବେଥଙ୍କର ଗତ ସେପ୍ଟେମ୍ବର ୮ ତାରିଖରେ ସ୍କଟଲାଣ୍ଡରେ ଛୁଟି କଟାଇବାକୁ ଯାଇଥିବା ବେଳେ ପରଲୋକ ଘଟିଥିଲା । ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମରଶରୀର ମଙ୍ଗଳବାର ସନ୍ଧ୍ୟାରେ ସ୍କଟଲ୍ୟାଣ୍ଡରୁ ସ୍ବତନ୍ତ୍ର ବିମାନରେ ଆସି ଲଣ୍ଡନରେ ପହଞ୍ଚିଛି। ତାଙ୍କର କଫିନ୍ ଗତ ରାତିରେ ବକିଙ୍ଗହମ୍ ପ୍ୟାଲେସରେ ରଖାଯାଇଛି। ବୁଧବାର ଠାରୁ ଚାରି ଦିନ ପର୍ଯ୍ୟନ୍ତ ରାଣୀଙ୍କ କଫିନ୍ ୱେଷ୍ଟମିନିଷ୍ଟର୍ ହଲ୍‌ରେ ରଖାଯିବ।

ଇଂଲଣ୍ଡର ଜନସାଧାରଣ ତାଙ୍କର ପ୍ରିୟ ମହାରାଣୀଙ୍କ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ ।  ସୋମବାର ଦିନ ମହାରାଣୀଙ୍କ ଅନ୍ତିମ ସଂସ୍କାର କରାଯିବ। ପୂର୍ବରୁ  ସେପ୍ଟେମ୍ବର ୧୧ ତାରିଖରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଦିଲ୍ଲୀ ସ୍ଥିତ ବିଟିସ୍‌ ଉଚ୍ଚଆୟୋଗଙ୍କ କାର୍ଯ୍ୟାଳୟକୁ ଯାଇ ଭାରତ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Related Articles

Back to top button